ଭୁବନେଶ୍ୱର: ବିଜେଡି’ର ଅସନ୍ତୁଷ୍ଟ ଟିମକୁ ନେଇ ‘ଏଜେଡି’ ଗଠନ ପ୍ରକ୍ରିୟା ଆରମ୍ଭ ହେଲାଣି । ଯଦିଓ ଏକ ନିର୍ଦ୍ଦିଷ୍ଟ ଯୁବଗୋଷ୍ଠୀ ‘ଏଜେଡି’ର ଆଗଧାଡ଼ିରେ ଅଛନ୍ତି । ତେବେ ଦୀର୍ଘଦିନ ଧରି ବିଜେଡିରେ ଅଲୋଡ଼ା ହୋଇ ରହିଥିବା ନେତାମାନେ ଏବେ ‘ଆମ ଜନତା ଦଳ’ ବା ‘ଏଜେଡି’ ଆଡକୁ ଦୃଷ୍ଟି ପକାଇଛନ୍ତି । ଦଳରୁ ଟିକେଟ୍ ନପାଇଲେ, ‘ଆମ ଜନତା ଦଳ’ରୁ ଲଢ଼ିବା ମତଲବରେ ସେମାନେ ଅଛନ୍ତି । ବିଜେପି ଓ କଂଗ୍ରେସ ଆଡୁ ବିଜେଡିକୁ ବିପଦର ଆଶଙ୍କା ନାହିଁ । କିନ୍ତୁ ଦଳର ଅସନ୍ତୁଷ୍ଟ ଗୋଷ୍ଠୀ ମଇଦାନକୁ ଓହ୍ଲାଇଲେ ସବୁଠାରୁ ଅଧିକ କ୍ଷତି ସହିବାକୁ ପଡ଼ିବ ବୋଲି ନବୀନବାବୁଙ୍କ ଘନିଷ୍ଠ ମହଲ ଅନୁଭବ କରୁଛି । ତେଣୁ ଅସନ୍ତୁଷ୍ଟ ବିଜେଡିକୁ କୌଣସି ପ୍ରକାରେ ମୁଠାକୁ ଆଣି ଆଗାମୀ ନିର୍ବାଚନରେ ଜିତିବାର ରାସ୍ତା ଫିଟାଇବାକୁ ପଡ଼ିବ ।
ତେବେ ଗଣେଶ ଚତୁର୍ଥୀ ଦିନ ‘ଆମ ଜନତା ଦଳ’ର ଭୁବନେଶ୍ୱର କାର୍ଯ୍ୟାଳୟରେ ଦଳୀୟ ପତାକା ଲୋକାର୍ପଣ ଅବସରରେ ଅସନ୍ତୁଷ୍ଟ ବିଜେଡି ଗୋଷ୍ଠୀର ୬/୭ ବରିଷ୍ଠ ନେତା ଯୋଗ ଦେଇଥିଲେ । ସେମାନେ ସିଧାସଳଖ ‘ଆମ ଜନତା ଦଳ’ରେ ସାମିଲ ହେବାକୁ ଅରାଜି ହୋଇଥିଲେ । ତେବେ ବିଜେଡିରେ ରହି ଏଜେଡି ପାଇଁ କାମ କରିବାକୁ ରାଜି ହୋଇଥିଲେ । ଆନ୍ତର୍ଜାତିକ ସ୍ତରରୁ ଜଣେ ଯୋଗ୍ୟ ଓଡ଼ିଆଙ୍କୁ ଆଣି ‘ଏଜେଡି’ର ନେତୃତ୍ୱ ଦାୟିତ୍ୱ ଦେବା ପାଇଁ ଦଳର ପ୍ରତିଷ୍ଠାତା ସଭ୍ୟ ସୀତାରାମ ବେହେରା କହିଛନ୍ତି । ଯାହା ଜଣାଯାଉଛି, ଆଗାମୀ ଦିନରେ ‘ଏଜେଡି’ ଏକମାତ୍ର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଭାବେ ବିଜେଡି ବିପକ୍ଷରେ ଠିଆ ହେବ ।