କେନ୍ଦୁଝର : ଗୋନାସିକା କେନ୍ଦୁଝର ମହୋତ୍ସବ-୨୦୨୪ର ସଫଳ ଓ ପରିବ୍ୟାପ୍ତ ଆୟୋଜନ ଲାଗି ଆୟୋଜିତ ବନ୍ଧୁତ୍ବପୂର୍ଣ୍ଣ କ୍ରିକେଟ ମ୍ୟାଚରେ ଜିଲ୍ଲାପାଳଙ୍କ ଏକାଦଶ ୯ ଉଇକେଟରେ ନାଗରିକ ଏକାଦଶଙ୍କୁ ପରାସ୍ତ କରି ବିଜୟୀ ହୋଇଛନ୍ତି ।
ଧରଣୀଧର ସ୍ପୋର୍ଟସ କମ୍ପଲେକ୍ସ ଠାରେ ଆୟୋଜିତ ଏହି ମ୍ୟାଚରେ ନାଗରିକ ଏକାଦଶ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇ ନିର୍ଦ୍ଧାରିତ ଓଭରର ବହୁ ପୂର୍ବରୁ ମାତ୍ର ୨୫ ରନ କରି ଅଲଆଉଟ ହୋଇଯାଇଥିଲା ।
ଜବାବରେ ଜିଲ୍ଲାପାଳଙ୍କ ଏକାଦଶ ମାତ୍ର ଏକ ଉଇକେଟ ହରାଇ ବିଜୟୀ ରନ ସଂଗ୍ରହ କରିନେଇଥିଲା । ବିଜୟୀ ଦଳ ପକ୍ଷରୁ କେନ୍ଦୁଝର ଉପଜିଲ୍ଲାପାଳ ଉମାଶଙ୍କର ଦଳାଇ ଉଭୟ ବ୍ୟାଟିଂ ଓ ବୋଲିଂରେ ଅଲରାଉଣ୍ଡ ପ୍ରଦର୍ଶନ କରିଥିଲେ ।
ସୂଚନାଯୋଗ୍ୟ ଜିଲ୍ଲାପାଳ ଏକାଦଶର ଅଧିନାୟକ ଭାବେ ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକ ଓ ନାଗରିକ ଏକାଦଶ ଦଳର ଅଧିନାୟକ ଭାବେ ଜିଲ୍ଲା କ୍ରୀଡ଼ା ସଂଘର ସମ୍ପାଦକ ଜନାର୍ଦନ ଦାଶ ଦାୟିତ୍ୱ ନେଇଥିଲେ । ପରିଶେଷରେ ଉଭୟ ବିଜେତା ଓ ଉପବିଜେତା ଦଳଙ୍କୁ ପୁରସ୍କୃତ କରାଯାଇଥିଲା ।