ଆଜିଠୁ ଆରମ୍ଭ ହେଲା ଡ୍ରାଇଭିଂ ଲାଇସେନ୍ସ ପ୍ରକ୍ରିୟା

କଟକ (ଏସ୍ ନ୍ୟୁଜ) : ଆଜିଠାରୁ ରାଜ୍ୟରେ ଆରମ୍ଭ ହୋଇଛି ଏଲଏଲ ପରୀକ୍ଷା । ଏହି ଆବେଦନକାରୀଙ୍କ ପରୀକ୍ଷା ଆରଟିଓଗୁଡ଼ିରେ ଆରମ୍ଭ ହୋଇଛି। କରୋନା କଟକଣା ପାଇଁ ରାଜ୍ୟରେ ୨ ଲକ୍ଷ ଲର୍ଣ୍ଣର ଲାଇସେନ୍ସ(ଏଲଏଲ) ଟେଷ୍ଟ ଆବେଦନ ଆରଟିଓରେ ପଡ଼ି ରହିଛି। ପ୍ରଥମ ପର୍ଯ୍ୟାୟରେ ୨ ହଜାର ୩୦୦ ଆବେଦନକାରୀ ପରୀକ୍ଷା ଦେଇଥିଲେ। କିନ୍ତୁ ଆଶ୍ଚର୍ଯ୍ୟର କଥା ଯେ ଅଧିକା˚ଶ ଆବେଦନକାରୀ କମ୍ପ୍ୟୁଟର ସମ୍ପର୍କରେ ସମ୍ପୂର୍ଣ୍ଣ ଅନଭିଜ୍ଞ । କିବୋର୍ଡ, ମାଉସ୍‌ ଠିକରେ ଚଳାଇ ପାରୁନଥିବାରୁ ସେମାନେ କମ୍ପ୍ୟୁଟରରେ ପରୀକ୍ଷା ଦେଇ ନପାରି ଫେଲ୍‌ ହୋଇଛନ୍ତି । ଏହି ପରୀକ୍ଷାରେ ମୋଟ ୨୦ଟି ପ୍ରଶ୍ନରୁ ସର୍ବନିମ୍ନ ୧୨ଟି ପ୍ରଶ୍ନର ଉତ୍ତର ଆବେଦନକାରୀ ଦେଲେ ପରୀକ୍ଷାରେ ପାସ ହେବାର ନିୟମ ଥିବା ବେଳେ କମ୍ପ୍ୟୁଟର ସମ୍ପର୍କରେ ଅଜ୍ଞ ଥିବାରୁ ଫେଲ୍‌ ହୋଇଛନ୍ତି । ଯେଉଁମାନେ ଫେଲ୍‌ ହୋଇଛନ୍ତି, ସେମାନେ ପରୀକ୍ଷା ତାରିଖରୁ ୭ ଦିନ ପରେ ପୁନଃ ଏଲଏଲ ପରୀକ୍ଷା ପାଇଁ ଆବେଦନ କରିପାରିବେ ବୋଲି ପରିବହନ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।

ସୂଚନା ଅନୁଯାୟୀ, ୨୩୬ ଦିନ ଅର୍ଥାତ ପାଖାପାଖି ୮ ମାସ ପରେ ରାଜ୍ୟରେ ନୂଆ ଗାଡ଼ି ଚାଳକଙ୍କ ପାଇଁ ଲର୍ଣ୍ଣର ଲାଇସେନ୍ସ(ଏଲଏଲ) ସେବା ଆଜିଠାରୁ ଆରମ୍ଭ ହୋଇଛି। ମୋଟ ୩୮ଟି ଆରଟିଓ ଓ ଏଆରଟିଓରେ ଆଜି ଏହି ପରୀକ୍ଷା କରାଯାଇଥିଲା। ମାର୍ଚ୍ଚ ୨୫ ତାରିଖ ପୂର୍ବରୁ ଯେଉଁମାନେ ଲର୍ଣ୍ଣର ଲାଇସେନ୍ସ ପାଇଁ ଆବେଦନ କରିଥିଲେ, କେବଳ ସେହି ଆବେଦନକାରୀମାନେ ଆଜିଠାରୁ ପରୀକ୍ଷା ଦେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଆରଟିଓରେ ପଡ଼ିରହିଥିବା ୨ ଲକ୍ଷ ଆବେଦନକାରୀଙ୍କ ପରୀକ୍ଷା ଶେଷ ହେବା ପରେ ନୂଆ ଗାଡ଼ି ଚାଳକଙ୍କୁ ଲର୍ଣ୍ଣର ଲାଇସେନ୍ସ ଆବେଦନ କରିବାକୁ ପରିବହନ ବିଭାଗ ଅନୁମତି ଦେବାକୁ ଯୋଜନା କରାଯାଉଛି। ମାର୍ଚ୍ଚ ୨୫ ତାରିଖ ପରଠାରୁ ରାଜ୍ୟରେ ଏଲଏଲ୍‌ ପରୀକ୍ଷା ବନ୍ଦ ଥିବାରୁ ଆରଟିଓରେ ପଡ଼ିରହିଥିବା ପୁରୁଣା ଏଲଏଲ୍‌ ଆବେଦନ ପ୍ରଥମ ପର୍ଯ୍ୟାୟରେ ଶେଷ କରାଯିବ। ଦ୍ବିତୀୟ ପର୍ଯ୍ୟାୟରେ ନୂଆ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଯେଉଁ ଆରଟିଓରେ ପୁରୁଣା ଆବେଦନ ଶେଷ ହେବ କେବଳ ସେହି ଆରଟିଓଗୁଡ଼ିକରେ ପ୍ରାଥମିକତା ଭିତ୍ତିରେ ନୂଆ ଏଲଏଲ ଆବେଦନ ପାଇଁ ଅନୁମତି ମିଳିବ ବୋଲି ପରିବହନ କମିସନର ସ˚ଜୀବ ପଣ୍ତା ସୂଚନା ଦେଇଛନ୍ତି।

ଆଜିଠାରୁ ରାଜ୍ୟରେ ଆରମ୍ଭ ହୋଇଥିବା ଏଲଏଲ ପରୀକ୍ଷା ପାଇଁ ଗଲା ୧୨ ତାରିଖରୁ ଏଥିପାଇଁ ସ୍ଲଟ୍‌ ବୁକି˚ ଆରମ୍ଭ ହୋଇଛି। ସକାଳ ୭ଟାରୁ ରାତି ୧୦ଟା ଯାଏ ଯଦିଓ ସ୍ଲଟ ଖୋଲା ରହୁଛି, ନିଜ ପସନ୍ଦ ମୁତାବକ ସ୍ଲଟ ପାଇଁ ସକାଳୁ ଆବେଦନ କରିବାକୁ ପରିବହନ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ଯେଉଁମାନେ ପରୀକ୍ଷାରେ ପାସ୍‌ କରିଛନ୍ତି, ସେମାନଙ୍କ ପଞ୍ଜିକୃତ ମୋବାଇଲ୍‌ ନମ୍ବରକୁ ଏଲଏଲ ଡାଉନଲୋଡ୍‌ ସ˚କ୍ରାନ୍ତରେ ଏସଏମଏସ କରି ଦିଆଯାଇଛି।