ସାତକୋଶିଆରେ ଇକୋ-ରିଟ୍ରିଟ୍-shaksi news

ଆଠଗଡ଼( ଏସ୍ ନ୍ୟୁଜ ): କରୋନା ପରେ ପର୍ଯ୍ୟଟନ ସ୍ଥଳୀର ପୁନଃଉଦ୍ଧାର ଓ ଶିଳ୍ପକୁ ପୁଣି ଥରେ ଛିଡ଼ା କରିବାକୁ ଆରମ୍ଭ ହୋଇଛି ପ୍ରୟାସ । ଏହି ପରିପ୍ରେକ୍ଷୀରେ କଟକ ସାତକୋଶିଆ ବାଲିପୁଟରେ ଆଜି ଉଦ୍‌ଘାଟିତ ହେବ ଇକୋ ରିଟ୍ରିଟ୍। କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆଜି ଏହାର ଶୁଭ ଉଦ୍‌ଘାଟନ କରିବେ।

ଶୀତ ଋତୁ ଅର୍ଥାତ ପର୍ଯ୍ୟଟନ ଋତୁ ଆରମ୍ଭ ହୋଇଯାଇଥିବା ବେଳେ ଅବସର ବିନୋଦନ ନିମନ୍ତେ ଲୋକେ ବିଭିନ୍ନ ସ୍ଥାନକୁ ଯିବାକୁ ପସନ୍ଦ କରିଥାନ୍ତି । ଏଥର ପର୍ଯ୍ୟଟନ ବିଭାଗ ନେଇଥିବା ସ୍ୱତନ୍ତ୍ର ପଦକ୍ଷେପ ଅନୁଯା, ବାଲିପୁଟରେ ପ୍ରକୃତିର ଶୋଭାରାଜିକୁ ଅତି ନିକଟରୁ ଦେଖିପାରିବେ ପର୍ଯ୍ୟଟକ । ଏଥିପାଇଁ ସ୍ଥାନୀୟ ଅଞ୍ଚଳର ବିକାଶ ସାଙ୍ଗକୁ ଦୂରଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଆରମ୍ଭ ହୋଇଛି ପ୍ରୟାସ। ଏଥର ବାଲିପୁଟରେ ୨୫ଟି କଟେଜ୍ ନିର୍ମାଣ କରାଯାଇଛି ।

ସେପଟେ ସାତକୋଶିଆ ବ୍ୟତୀତ ଗତବର୍ଷ ଭଳି ଚଳିତ ଥର କୋଣାର୍କ ସମେତ ନୂଆ ଭାବେ ହୀରାକୁଦ, ଦାରିଙ୍ଗବାଡ଼ିରେ ବି ଇକୋ ରିଟ୍ରେଟ୍ ଆୟୋଜିତ ହୋଇଛି । ଯାହା ଫେବୃୟାରୀ ୨୮ ଯାଏ ଚାଲିବ ।ତେବେ ଭିଡିଓ କନ୍‌ଫରେନ୍ସିଂରେ ଆଜି ଉଦ୍‌ଘାଟିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ରହିବେ ।

ସେହିପରି ଇକୋ ରିଟ୍ରିଟ ପାଇଁ ପ୍ରସ୍ତୁତ ଓଡିଶାର କାଶ୍ମୀର ଦାରିଙ୍ଗବାଡି । ଏଠାକୁ ବୁଲି ଆସୁଥିବା ପର୍ଯ୍ୟଟକ ଇକୋ ରିଟ୍ରିଟରେ ପଞ୍ଚତାରକା ହୋଟେଲରେ ମିଳୁଥିବା ସମସ୍ତ ପ୍ରକାରର ସୁବିଧା ପାଇପାରିବେ। ଏଥିପାଇଁ ଇକୋ ରିଟ୍ରିଟ ପରିସରରେ ୨୫ଟି ବିଳାସପୂର୍ଣ୍ଣ ତମ୍ବୁ ନିର୍ମାଣ ହୋଇଛି। ଏଠାରେ ଗୋଟିଏ ରାତି ବିତାଇବା ପାଇଁ ୮ରୁ ୯ ହଜାର ଟଙ୍କା ରଖାଯାଇଛି । ଏଥିସହ ପର୍ଯ୍ୟଟକଙ୍କୁ ମନ ପସନ୍ଦର ଖାଦ୍ୟ ପରଷାଯିବା ସହ ମନୋରଞ୍ଜନ ପାଇଁ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

ଦାରିଙ୍ଗବାଡିରେ ୩ ମାସ ଧରି ଇକୋ ରିଟ୍ରିଟ୍ ଆୟୋଜିତ ହେବ। ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଇକୋ ରିଟ୍ରିଟ ପରିସରରେ ୨୪ ଘଣ୍ଟିଆ ପାଟ୍ରୋଲିଂ ବ୍ୟବସ୍ଥା ସହ ସଶସ୍ତ୍ର ପୁଲିସ୍‌ ମୁତୟନ କରାଯାଇଛି। ପର୍ଯ୍ୟଟକ ଇକୋ ରିଟ୍ରିଟ୍‌ର ମଜା ଉଠାଇବା ସହ ଦାରିଙ୍ଗବାଡି ଅଞ୍ଚଳରେ ଥିବା ବିଭିନ୍ନ ପର୍ଯ୍ୟଟନ ସ୍ଥଳୀଗୁଡିକୁ ବୁଲିବାର ମଧ୍ୟ ସମସ୍ତ ବ୍ୟବସ୍ଥା ହୋଇଛି ।