ରାଜଗାଙ୍ଗପୁର: କୁତ୍ରା ଥାନା ଅନ୍ତର୍ଗତ କିରିଙ୍ଗସିରା ପଂଚାୟତର ଝିରପାଣି ଖଡିଆଢିପା ଗ୍ରାମରେ ଘଟିଥିବା ବିଧବା ମହିଳା ସରୋଜିନୀ ଏକ୍କା (୫୨)ଙ୍କ ହତ୍ୟାକାଣ୍ଡ ମାମଲାର ପର୍ଦ୍ଦାଫାସ କରିଛି ପୁଲିସ। ଅଭିଯୁକ୍ତ ପୁତୁରା ଆନନ୍ଦ ଏକ୍କା (୨୪)ଙ୍କୁ ଗିରଫ ପରେ ଭାରତୀୟ ନ୍ୟାୟ ସଂହିତା ଧାରା ୧୦୩(୧) ଅଧୀନରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛି। ସୂଚନା ଅନୁଯାୟୀ ଗତ ଶୁକ୍ରବାର ସକାଳେ ଘର ଭିତରୁ ସରୋଜିନୀଙ୍କ ରକ୍ତାକ୍ତ ଦେହ ମିଳିଥିଲା। ପରିବାର ଲୋକ ଓ ପଡେ଼ାଶୀମାନେ ତୁରନ୍ତ କୁତ୍ରା ପୁଲିସକୁ ଖବର ଦେଇଥିଲେ।
ପୁଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିଲା। ତେବେ ଘଟଣାର ସତ୍ୟତା ଉଜାଗର ପାଇଁ ସାଇଂଟିଫିକ୍ ଟିମ୍ ପକ୍ଷରୁ ଘର ଭିତରୁ ଆବଶ୍ୟକୀୟ ନମୁନା ସଂଗ୍ରହ କରାଯାଇଥିଲା। ପରେ ପୁଲିସ କୁତ୍ରା ଓ ବଡଗାଁ ଥାନାର ଦୁଇଟି ଦଳ ଗଠନ କରି ଘଟଣାର ତଦନ୍ତ କରିଥିଲା।
ତଦନ୍ତରୁ ଜଣାପଡ଼ିଥିଲା ଯେ, ୨୭ ଫେବୃଆରୀ ଦିନ ମୃତକା ଘରେ ଏକାକୀ ଥିବା ସମୟରେ ଅଭିଯୁକ୍ତ ଆନନ୍ଦ ଏକ୍କା ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ପୁଲିସ ତଦନ୍ତରେ ପ୍ରକାଶ ପାଇଛି ଯେ ଅଭିଯୁକ୍ତଙ୍କ ପିତା ଦୀର୍ଘଦିନ ଧରି ଅସୁସ୍ଥ ଥିଲେ। ଅଭିଯୁକ୍ତ ଜଣକ ମୃତକାଙ୍କୁ ଡାହାଣୀ ସନ୍ଦେହ କରି ହତ୍ୟା କରିଥିବା ପୁଲିସ କହିଛି। ଉଲ୍ଲେଖନୀୟ ଯେ ଅଭିଯୁକ୍ତ ଜଣକ ମୃତକାଙ୍କ ପୁତୁରା। ହତ୍ୟା ବ୍ୟବହୃତ ଛୁରି ଜବତ କରିଛି।