ହାତୀ ମୃତ୍ୟୁ ମାମଲା: ଉଚ୍ଚ ଅଧିକାରୀଙ୍କୁ ବାଜୁନି ଚାବୁକ ମାଡ଼

ଭୁବନେଶ୍ୱର: ବନ ବିଭାଗର ଉପର ଅଧିକାରୀଙ୍କୁ ଚାବୁକ ମାଡ଼ ବାଜିଲେ, ତଳିଆ କର୍ମଚାରୀ ପୁରା ସାବାଡ୍‌ ହୋଇଯିବେ । ହାତୀ ମୃତ୍ୟୁ ମାମଲାରେ କେବଳ ତଳିଆ କର୍ମଚାରୀଙ୍କୁ ଦାୟୀ କରି ଉପର ଅଧିକାରୀଙ୍କୁ ଦୋଷମୁକ୍ତ ସାର୍ଟିଫିକେଟ୍‌ ପ୍ରଦାନ କରିବା ଆଦୌ ଶୋଭନୀୟ ନୁହେଁ ।

ଉପର ଅଧିକାରୀଙ୍କ କୋହଳ ଆଭିମୁଖ୍ୟ କାରଣରୁ ତଳିଆ କର୍ମଚାରୀମାନେ କାମଚୋର ହୋଇଯାନ୍ତି । ବନ୍ୟପ୍ରାଣୀଙ୍କ ସୁରକ୍ଷିତ ବିଚରଣ ପ୍ରତି ଉପଯୁକ୍ତ ଧ୍ୟାନ ଦିଅନ୍ତି ନାହିଁ । ଗତ ୬ ବର୍ଷ ଭିତରେ ୨୯ଟି ହାତୀ ମରିବା ଛୋଟିଆ ଘଟଣା ନୁହେଁ । ବଣଜଙ୍ଗଲରେ ଚାହିଦା ମୁତାବକ ଖାଦ୍ୟ ନପାଇ ହାତୀପଲ ନିକଟସ୍ଥ ଗ୍ରାମାଞ୍ଚଳକୁ ମାଡ଼ି ଆସୁଛନ୍ତି ।

ହାତୀ-ମଣିଷ ଲଢେ଼ଇ ଭିତରେ କେତେବେଳେ ହାତୀ ତ କେତେବେଳେ ମଣିଷ ମରିବା ଦେହସୁହା ହୋଇଗଲାଣି । ତା’ ସହିତ ଜଙ୍ଗଲରେ ହାତୀ-ହାତୀ ଘମାଘୋଟ ଲଢେ଼ଇରେ କେହି ଜଣେ ମୃତାହତ ହେବା ନିଶ୍ଚିତ ।

ଏଭଳି ଘଟଣାକୁ ବାଦ୍‌ ଦେଲେ ଶିକାରୀ କବଳରୁ ହାତୀପଲକୁ ସୁରକ୍ଷା ପ୍ରଦାନ କରିବା ବନ କର୍ମଚାରୀଙ୍କ ପ୍ରଧାନ କାମ । ଖାସ୍‌ ସେଥିପାଇଁ ବଣଜଙ୍ଗଲରେ ପାଟ୍ରୋଲିଂ ବ୍ୟବସ୍ଥା ରହିଛି । ପାଟ୍ରୋଲିଂରେ ନିୟୋଜିତ କର୍ମଚାରୀଙ୍କ କାମ ଉପରେ କଡ଼ା ନଜର ରଖିବା ଦାୟିତ୍ୱ କାହାର?

ତଳିଆ କର୍ମଚାରୀଙ୍କୁ ଜଙ୍ଗଲ ଜଗିବା କାମ ଦେଇ ଉପର ଅଧିକାରୀ ଘରେ ଆରାମ କରିବା କେତେଦୂର ଗ୍ରହଣଯୋଗ୍ୟ? ବନ ବିଭାଗର ତଳିଆ କର୍ମଚାରୀଙ୍କଠାରୁ ଆରମ୍ଭ କରି ଉପର ଅଧିକାରୀମାନେ ମିଳିତ ଭାବେ ସେମାନଙ୍କ କର୍ତ୍ତବ୍ୟ ସଂପାଦନ କରିବା ଦରକାର ।

ହାତୀ ମୃତ୍ୟୁ ପାଇଁ କେବଳ ତଳିଆ କର୍ମଚାରୀଙ୍କ ପ୍ରତି ଦଣ୍ଡ ବିଧାନ କରିବା ଆଦୌ ଯୁକ୍ତିସଂଗତ ନୁହେଁ । ତଳିଆ କର୍ମଚାରୀଙ୍କ ପ୍ରାଣମୂର୍ଚ୍ଛା କାମ ପାଇଁ ଯଦି ଉପର ଅଧିକାରୀଙ୍କୁ ସାବାସି ମିଳୁଛି । ତଳିଆ କର୍ମଚାରୀଙ୍କ ଢ଼ିଲା କାମ ପାଇଁ ଉପର ଅଧିକାରୀଙ୍କୁ ଦଣ୍ଡ ମିଳିବା ଉଚିତ ନୁହେଁ କି?

ବାଲାକୋଟ୍‌ ମୁକାବିଲାର ସଫଳତା ପାଇଁ ଯଦି ପ୍ରଧାନମନ୍ତ୍ରୀ ମୋଦି ସାବାସି ପାଇବାକୁ ଯୋଗ୍ୟ । ହାତୀ ମୃତ୍ୟୁ ପାଇଁ ଉପର ଅଧିକାରୀଙ୍କୁ ବଳି ପକାଯିବା ଜରୁରୀ ନୁହେଁ କି?

ସୂଚନା ମୁତାବକ, ନାକଟିଦେଉଳ ଜଙ୍ଗଲ ଭିତରେ ବିଦ୍ୟୁତ ଆଘାତ ପାଇ ତିନୋଟି ହାତୀ ପ୍ରାଣ ହରାଇବା ଘଟଣାରେ ତିନିଜଣ ବନ କର୍ମଚାରୀଙ୍କୁ ଦାୟୀ କରାଯାଇଛି । ସଂପୃକ୍ତ କର୍ମଚାରୀଙ୍କୁ ସାମୟିକ ଦିନ ପାଇଁ କାମରୁ ଅନ୍ତର କରି ଦିଆଯାଇଛି । ଦୁଇଜଣ ଉଚ୍ଚ ଅଧିକାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରିଛି ବନ ବିଭାଗ ।

ଗତ ରବିବାର ସମ୍ବଲପୁର ଜିଲ୍ଲାର ବୁରାମାଳ ନିକଟରେ ଜୀବନ୍ତ ବିଜୁଳି ତାର ସଂସ୍ପର୍ଶରେ ଆସି ଦୁଇଟି ବୟସ୍କ ହାତୀ ଓ ଗୋଟିଏ ଛୁଆ ହାତୀ ମରିଯିବା ଖବର ଶୁଣିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମର୍ମାହତ ହୋଇଛନ୍ତି ।