ଭୁବନେଶ୍ୱର: ଓଡ଼ିଶାର ପଶୁପକ୍ଷୀଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ଅଭିଜ୍ଞ ଡାକ୍ତରଙ୍କ ଅଭାବ ରହିଛି । ରାଜ୍ୟର ସବୁଜ ବନାନୀ, ନନ୍ଦନକାନନ ଓ ଅଭୟାରଣ୍ୟରେ ବିଚରଣ କରୁଥିବା ଜୀବଜନ୍ତୁଙ୍କ ଅକାଳ ମଡ଼କ ତଥ୍ୟରୁ ତାହା ଅନୁମାନ କରାଯାଉଛି । ଓଡ଼ିଶା ସରକାର ମଣିଷଙ୍କ ପାଇଁ ପ୍ରତି ଜିଲ୍ଲାରେ ମେଡିକାଲ କଲେଜ ଖୋଲୁଛନ୍ତି । କିନ୍ତୁ ରାଜ୍ୟର ପଶୁପକ୍ଷୀ ଓ ବନ୍ୟପ୍ରାଣୀ ସଂପଦ ସୁରକ୍ଷା ପାଇଁ ପ୍ରତି ଜିଲ୍ଲାରେ ପଶୁପକ୍ଷୀଙ୍କ ମେଡିକାଲ କଲେଜ ଖୋଲିବାକୁ ସରକାରଙ୍କ ଆନ୍ତରିକତା ନଥିବା ଜଣାପଡେ଼ ।
ତା’ର କାରଣ କ’ଣ ଏଇୟା ବୁଝିବାକୁ ପଡ଼ିବ ଯେ ଓଡ଼ିଶାରେ ପଶୁ ଡାକ୍ତରଙ୍କ ଚାହିଦା ନାହିଁ । ଏଇୟା ବୁଝିବାକୁ ପଡିବ ଯେ ଓଡ଼ିଶାରେ ପଶୁପକ୍ଷୀଙ୍କୁ ରୋଗ ସଂକ୍ରମଣ କରେନା । ଏଇଆ ବୁଝିବାକୁ ପଡ଼ିବ ଯେ ଓଡ଼ିଶାରେ ପଶୁପକ୍ଷୀଙ୍କୁ ଭଗବାନଙ୍କ ଭରସାରେ ରହିବାକୁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । ଏଇୟା ବୁଝିବାକୁ ପଡ଼ିବ ଯେ ଓଡ଼ିଶା ସରକାରଙ୍କ ପଶୁ ସଂପଦ ବିଭାଗ କିଛି ସରକାରୀ କର୍ମଚାରୀଙ୍କୁ ପେଟକୁ ଦାନା ଯୋଗାଇବା ପାଇଁ ପ୍ରଯୁଜ୍ୟ ।
ସବୁଠାରୁ ବଡ଼ ଦୁଃଖ ହେଉଛି, ଆମ ରାଜ୍ୟର ବଣଜଙ୍ଗଲରେ ସ୍ୱାଧିନ ଭାବେ ବିଚରଣ କରୁଥିବା ହାତୀ, ହେଟା, ଚିତା, କୁଟୁରା, ବିଲୁଆ, ବାର୍ହା, ବଜ୍ରକାପ୍ତା, ମୟୁର, ଶାଗୁଣା, ଚିଲ, ଛଂଚାଣ, କୁମ୍ଭାଟୁଆ, ଭାଲୁ, ବଣକୁକୁଡ଼ା ଭଳି ବନ୍ୟପ୍ରାଣୀ ବିଭିନ୍ନ କାରଣରୁ କ୍ଷତାକ୍ତ ହୋଇ ଠିକଣା ସମୟରେ ଚିକିତ୍ସା ସେବା ନପାଇ ଅକାଳରେ ମରିଯାନ୍ତି । ଆମ ଜଙ୍ଗଲରେ ହାତୀ, ଚିତାବାଘ କ୍ରମଶଃ କମିଯିବା କାରଣରୁ ରାଜ୍ୟ ସରକାର ପଡେ଼ାଶୀ ରାଜ୍ୟ ବା ବିଦେଶରୁ କିଛି ହାତୀ ଓ ବାଘ କିଣି ଆଣି ଏଠା ଜଙ୍ଗଲରେ ଛାଡ଼ି ବାହାଦୁରି ନେଉଛନ୍ତି ।
ନଭେମ୍ବର ୧୮ ତାରିଖରେ ଦୈନିକ ସଂବାଦରେ ପ୍ରକାଶିତ ତଥ୍ୟ ଅନୁସାରେ ବିଗତ ୬ ବର୍ଷ ଭିତରେ ସାତକୋଶିଆରେ ୨୯ଟି ହାତୀ ମରିଛନ୍ତି । ୨୯ଟି ହାତୀ ଭିତରୁ ୧୯ଟି ରୋଗରେ ପୀଡ଼ିତ ହୋଇ ମରିଛନ୍ତି । ସରକାରୀ ନଥିପତ୍ରରୁ ସଂଗୃହୀତ ତଥ୍ୟ ଅନୁସାରେ ୨୦୧୮ ମସିହାରେ ଦୁଇଟି, ୨୦୧୯ ମସିହାରେ ତିନୋଟି, ୨୦୨୦ ମସିହାରେ ତିନୋଟି, ୨୦୨୧ରେ ଦୁଇଟି, ୨୦୨୨ରେ ଚାରୋଟି, ୨୦୨୩ରେ ତିନୋଟି ଓ ୨୦୨୪ ଜୁଲାଇ ସୁଦ୍ଧା ଦୁଇଟି ହାତୀ ମରିଛନ୍ତି । ସେମାନଙ୍କ ଭିତରୁ ୧୧ଟି ମାଈ ହାତୀ, ୬ଟି ଅଣ୍ଡିରା ହାତୀ ଓ ୨ଟି ଛୁଆ ହାତୀ ।
ସାତକୋଶିଆ ଅଭୟାରଣ୍ୟର ପ୍ରାକୃତିକ ପରିବେଶ ପଶୁପକ୍ଷୀଙ୍କ ସ୍ୱାସ୍ଥ୍ୟ ପ୍ରତି କେତେଦୂର ଉପଯୋଗୀ, ସେ ସଂପର୍କରେ ରାଜ୍ୟ ସରକାରଙ୍କ ନିକଟରେ ଠୋସ୍ ସୂଚନା ନାହିଁ । ଜଙ୍ଗଲରେ ଏଭଳି କି ପ୍ରକାର ଭୂତାଣୁ ମାତିଛି ଯେ ହାତୀ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି, ସେ ସଂପର୍କରେ ଆମ ଜଙ୍ଗଲ ବିଭାଗ ସଂପୂର୍ଣ୍ଣ ଅଜ୍ଞ ।
ବନ୍ୟପ୍ରାଣୀଙ୍କ କଥା ଛାଡ଼ନ୍ତୁ । ଆମ ଗହଣରେ ରହୁଥିବା କୁକୁର ବିଲେଇ କୁକୁଡ଼ା ବତକ ଗାଈଗୋରୁ ଛେଳି ମେଣ୍ଢାଙ୍କ ଚିକିତ୍ସା ପାଇଁ ମଧ୍ୟ ଆମ ରାଜ୍ୟରେ ଅଭିଜ୍ଞ ଡାକ୍ତର ନାହାନ୍ତି । ଯୋଉ କିଛି ପଶୁ ଡାକ୍ତର ଅଛନ୍ତି, ସେମାନଙ୍କ ଭିତରୁ ଅଧିକାଂଶ ଡାକ୍ତର ଅନ୍ଧାରରେ ବାଡ଼ି ବୁଲାଇ ଔଷଧ ଚିଠା ଲେଖୁଛନ୍ତି । ପଶୁପକ୍ଷୀଙ୍କ କଥା ବୁଝିବା ମୁସ୍କିଲ, ତେଣୁ ପଶୁ ଡାକ୍ତରଙ୍କ ମର୍ଜି ଉପରେ ବନ୍ୟପ୍ରାଣୀ ଅବା ଗୃହପାଳିତ ଜୀବଙ୍କ ଜୀବନ ନିର୍ଭର କରୁଛି । ଅନେକ ସମୟରେ ସେମାନଙ୍କୁ ଦିଆ ଯାଉଥିବା ଔଷଧର ପ୍ରତିକ୍ରିୟା ଅବା ପାଶ୍ୱର୍ ପ୍ରତିକ୍ରିୟା ବୁଝିଲା ବେଳକୁ ପଶୁପକ୍ଷୀଙ୍କ ଜୀବନ ଚାଲିଯାଉଛି ।
ଆମ ନନ୍ଦନକାନନରେ ରହୁଥିବା ପଶୁପକ୍ଷୀଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ପାଇଁ କିଛି ଡାକ୍ତର ଅଛନ୍ତି ଯୋଉମାନଙ୍କ ନିକଟରେ ଅଭିଜ୍ଞତା ନାହିଁ । ଖାସ୍ ସେହି କାରଣରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବହୁ ପଶୁପକ୍ଷୀ ମରଣ ମୁଖରେ ପଡୁଛନ୍ତି ।
ରାଜ୍ୟରେ ଆଉ ଚାରୋଟି ଭେଟେରିନାରୀ ମେଡିକାଲ କଲେଜର ଆବଶ୍ୟକତା ରହିଛି ବୋଲି ଆମ ସରକାର କେବେ ବୁଝିବେ? ରାଜ୍ୟର ପଶୁପକ୍ଷୀଗୁଡ଼ିକ ପ୍ରତି ସରକାରଙ୍କ ସୁଦୃଷ୍ଟି କେବେ ପଡ଼ିବ? ତାହା ରାଜ୍ୟ ସରକାରଙ୍କ ପରିଚାଳନା ଭାର ମୁଣ୍ଡାଇଥିବା ରାଜନୈତିକ ଦଳର ମର୍ଜି ଉପରେ ଛାଡ଼ି ଦେଉଛୁ ।