ଭୁବନେଶ୍ୱର: ରାଜ୍ୟରେ ଜରୁରୀକାଳୀନ ସେବା ଭିତ୍ତିଭୂମିରେ ଉନ୍ନତି ଆଣିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଓଡିଶା ପୁଲିସର ମିଳିତ ଆନୁକୂଲ୍ୟରେ ସାରା ଓଡିଶାରେ ପ୍ରଥମ ପର୍ଯ୍ୟାୟରେ ୧୦୬ଟି ଏମରଜେନ୍ସି ରେସପନ୍ସ ଭେଇକିଲର ଶୁଭାରମ୍ଭ କରାଯାଇଛି । ଏହି ନୂତନ ସେବାର ଉଦ୍ଦେଶ୍ୟ ହେଉଛି ନାଗରିକମାନଙ୍କର ଅସୁବିଧାଗୁଡିକୁ ଏକ ଅଧିକ ସମନ୍ୱିତ ଢଙ୍ଗରେ ସମାଧାନ କରିବା ।
ସ୍ୱତନ୍ତ୍ର ଡିଜି (ଏସଏପି) ମନୋଜ ଛାବ୍ରା କଟକ ସ୍ଥିତ ଓଏସଏପି ୬ଷ୍ଠ ବାଟାଲିୟନ ଗ୍ରାଉଣ୍ଡ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ୧୦୬ଟି ଏମରେଜେନ୍ସି ରେସପନ୍ସ ଭେଇକିଲର ଶୁଭାରମ୍ଭ କରିଛନ୍ତି । ବିଭିନ୍ନ ଜରୁରୀକାଳୀନ ସେବା ମଧ୍ୟରେ ସମନ୍ୱୟ ସ୍ଥାପନ କରିବା ଏବଂ ବିଭିନ୍ନ ଆବଶ୍ୟକତା ପାଇଁ ଅଲଗା ଅଲଗା ଜରୁରୀକାଳୀନ ନମ୍ବରରେ ଯୋଗାଯୋଗ କରିବାର ଦ୍ୱନ୍ଦକୁ ହ୍ରାସ କରିବାର ଏକ ପ୍ରୟାସ ଭାବେ ଏହି ନୂତନ ପଦକ୍ଷେପ ରାଜ୍ୟର ଲୋକମାନଙ୍କ ପାଇଁ ସାମଗ୍ରିକ ସମାଧାନ ପ୍ରଦାନ କରିବ ।
ଏହି ନୂତନ ୧୧୨ ଏମରଜେନ୍ସି ରେସପନ୍ସ ବାହନଗୁଡିକ ଗୋଟିଏ ପିସିଆର ଭ୍ୟାନ ଭଳି ସମାନ ଭାବେ କାର୍ଯ୍ୟକାରୀ କରିବ । ଏହି ନୂତନ ପ୍ରୟାସ ଦ୍ୱାରା ଅପରାଧ, ବିଶୃଙ୍ଖଳା କିମ୍ବା ଦୁର୍ଘଟଣା ଭଳି ଜରୁରୀକାଳୀନ ପରିସ୍ଥିତିରେ ତୁରନ୍ତ ଏବଂ ପ୍ରଭାବଶାଳୀ ଭାବେ ସହାୟତା ପ୍ରଦାନ କରାଯିବ । ଏହି ଉଦଘାଟନୀ ଅବସରରେ ଓଡିଶାର ସ୍ୱତନ୍ତ୍ର ଡିଜିପି ଅରୁଣ ରାୟ ଓ ଆଡିସନାଲ ଡିଜି, ଆଇପିଏସ, ଶ୍ରୀ ରାଧା କିଶନ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ ।
ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୧୫୦ଟି ବାହାନକୁ ଉଦଘାଟନ କରାଯିବ । ଏହି ଗାଡିଗୁଡିକ ଏକସଙ୍ଗେ ତିନି ପ୍ରକାର ଜରୁରୀକାଳୀନ ସେବା ପ୍ରଦାନ କରିବେ । ପୂର୍ବରୁ ଓଡିଶା ସରକାର ପୋଲିସ, ଅଗ୍ନିଶମ ବାହିନୀ, ଆମ୍ବୁଲାନ୍ସ ଏବଂ ଅନ୍ୟାନ୍ୟ ସେବାଗୁଡିକୁ ଏମରଜେନ୍ସି ରେସପନ୍ସ ସପୋର୍ଟ ସିଷ୍ଟମ(ଇଆରଏସଏସ) ଅଧୀନକୁ ଆଣିବା ଲାଗି ଏକ ସାମଗ୍ରିକ ଜରୁରୀକାଳୀନ ହେଲପ୍ଲାଇନ ନମ୍ବର ୧୧୨ର ଶୁଭାରମ୍ଭ କରିଛନ୍ତି । ଏହି ନୂଆ ୧୦୬ ଟି ଇଆରଭିର ଶୁଭାରମ୍ଭ ୧୧୨ସେବାକୁ ଆହୁରୀ ମଜବୁତ କରିବ ।
ଅନ୍ୟପକ୍ଷରେ ଏହି ଏମରଜେନ୍ସି ରେସପନ୍ସ ବାହନଗୁଡିକର ପରିଚାଳନା ଏବଂ କାର୍ଯ୍ୟକାରୀତା ପାଇଁ ଜିକିତ୍ସା ହେଲଥକେୟାର ଲିମିଟେଡକୁ ଦାୟିତ୍ୱ ଦିଆଯାଇଛି । ଅନ୍ୟ ଜରୁରୀକାଳୀନ ସେବାଗୁଡିକ ପରିି ଏହି ସେବା ମଧ୍ୟ ରାଜ୍ୟର ସମସ୍ତ ଲୋକଙ୍କ ପାଇଁ ମାଗଣା ରହିବ ।