ବିଶିଷ୍ଟ କବି ପଦ୍ମଭୂଷଣ ରମାକାନ୍ତ ରଥଙ୍କ ପରଲୋକ

ଆଧୁନିକ ଓଡିଆ ସାହିତ୍ୟର ପ୍ରଥିତଯଶା କବି ରମାକାନ୍ତ ରଥଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଓଡ଼ିଆ ସାହିତ୍ୟକୁ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବାରେ ତାଙ୍କ ଅବଦାନ ଏବଂ ବିଭିନ୍ନ ବିଭାଗର ସଚିବ ଓ ମୁଖ୍ୟ ଶାସନ ସଚିବ ଭାବେ ରାଜ୍ୟର ବିକାଶରେ ତାଙ୍କ ଗୁରୁତ୍ଵପୂର୍ଣ୍ଣ ଭୂମିକାକୁ ସ୍ମରଣ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ସ୍ବର୍ଗତ ରଥଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି । ଏଥିସହ ତାଙ୍କ ପରି ମହାନ ସାହିତ୍ୟିକ ଓ ଯୁଗସ୍ରଷ୍ଟାଙ୍କୁ ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସଂପନ୍ନ କରାହେବ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

କବି ରମାକାନ୍ତ ରଥଙ୍କ ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା । ଅସୁସ୍ଥତା ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । କବି ରମାକାନ୍ତ ରଥଙ୍କ ପ୍ରଥମ କବିତା ସଂକଳନ ‘କେତେ ଦିନର’ ୧୯୬୨ ମସିହାରେ ପ୍ରକାଶିତ ହୋଇଥିଲା  । ପରବର୍ତ୍ତୀ ସମୟରେ ୧୯୬୭ରେ ‘ଅନେକ କୋଠରୀ’ ପ୍ରକାଶ ପାଇଥିଲା ।

୧୯୭୧ରେ ‘ସନ୍ଦିଗ୍ଧ ମୃଗୟା’, ୧୯୭୭ରେ ‘ସପ୍ତମ ଋତୁ’ ୧୯୮୨ରେ ‘ସଚିତ୍ର ଅନ୍ଧାର’, ୧୯୮୪ରେ ‘ଶ୍ରୀରାଧା’ ଏବଂ ୧୯୯୭ରେ ‘ଶ୍ରୀ ପଳାତକ’ ପ୍ରକାଶ ପାଇଥିଲା ଏବଂ ‘ସନ୍ଦିଗ୍ଧ ମୃଗୟା’, ‘ସପ୍ତମ ଋତୁ’, ‘ସଚିତ୍ର ଅନ୍ଧାର’, ‘ଶ୍ରୀରାଧା’ , ‘ଶ୍ରୀ ପଳାତକ’, ‘ସୀମାନ୍ତ ବାସ’, ‘ଫେରି ଚାହିଁଲେ’, ‘ମେଘ ଓ ଅନ୍ୟାନ୍ୟ ଗଳ୍ପ’ ତାଙ୍କର ଅନ୍ୟତମ ସୃଷ୍ଟି । ୧୯୮୪ ମସିହାରେ ସାହିତ୍ଯ  ସମ୍ମାନ ଏବଂ ୧୯୯୦ରେ ସେ ବିଷୁବ ସମ୍ମାନ ପାଇଥିଲେ । ୧୯୯୨ ମସିହାରେ ‘ଶ୍ରୀରାଧା’ ଲାଗି ସେ ଅନ୍ୟତମ ଶ୍ରେଷ୍ଠ ‘ସରସ୍ବତୀ ସମ୍ମାନ’ ଲାଭ କରିଥିଲେ ।