ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଆଜି (୩୧-୧୨-୨୫) ଅବସର ଗ୍ରହଣ କରିବାକୁ ଯାଉଛନ୍ତି। ଏହି ପରିପ୍ରେକ୍ଷୀରେ ତାଙ୍କର ଦୀର୍ଘ ଦେଢ ବର୍ଷର ମୁଖ୍ୟ ଶାସନ ସଚିବ ସମୟର କାର୍ଯ୍ୟାବଳୀ, ପୂର୍ବରୁ ପ୍ରଶାସନିକ ସେବାରେ ଭାରତ ସରକାରଙ୍କ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲା ଓ ରାଜ୍ୟ ସଦର ମହକୁମାରେ ତାଙ୍କର କାର୍ଯ୍ୟ, ତାଙ୍କର ବ୍ୟକ୍ତିତ୍ୱ, କାର୍ଯ୍ୟଶୈଳୀକୁ ନେଇ ତାଙ୍କର ଲକ୍ଷ୍ୟଭିତିକ ନେତୃତ୍ୱକୁ କୃତଜ୍ଞତା ଓ ସମ୍ମାନ ଜଣାଇ ଏକ ସମ୍ବର୍ଦ୍ଧନା ସଭା ଖାରବେଳ ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜାଙ୍କ ସହିତ ତାଙ୍କ ସହଧର୍ମିଣୀ ଅବସରପ୍ରାପ୍ର ପ୍ରଶାସନିକ ଅଧିକାରୀ ଶ୍ରୀମତୀ ଆରତୀ ଆହୁଜା ମଧ୍ୟ ଉପସ୍ଥିତ ଥିଲେ। ଉଭୟ ସେମାନଙ୍କର ପ୍ରଶାସନିକ କ୍ୟାରିଅର ଭିତରେ ଓଡ଼ିଶାକୁ ଗଭୀର ଭାବେ ଭଲ ପାଇବା ସଂପର୍କରେ ବକ୍ତବ୍ୟ ରଖିଥିଲେ।
ଏହି ଅବସରରେ ମୁଖ୍ୟ ଶାସନ ସଚିବ ବିଭିନ୍ନ ବିଭାଗର ସଚିବ ଓ ବରିଷ୍ଠ ଅଧିକାରୀମାନଙ୍କୁ ବିଭିନ୍ନ ପରାମର୍ଶ ଦେଇଥିଲେ। ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା କହିଲେ ଯେ, ପ୍ରଶାସନିକ କ୍ଷେତ୍ରରେ ଓଡ଼ିଶାରେ ଏକ ଭଲ ଟିମ୍ ରହିଛନ୍ତି। ସମସ୍ତଙ୍କର ଜ୍ଞାନର ଗଭୀରତା, ଦକ୍ଷତା ଓ ଗୁଣାତ୍ମକତାକୁ ସେ ପ୍ରଶଂସା କରିଥିଲେ। ଓଡ଼ିଶାର ବିକାଶ ଓ ଭବିଷ୍ୟତ ପାଇଁ ସେ ସକରାତ୍ମକ ଅଭିବ୍ୟକ୍ତି ଓ ଦୃଢୋକ୍ତି ପ୍ରକାଶ କରିଥିଲେ। ସମସ୍ତ ପ୍ରଶାସନିକ ଅଧିକାରୀମାନଙ୍କୁ ସେମାନଙ୍କର ଆଗାମୀ ଭବିଷ୍ୟତ ପାଇଁ ସେ ଶୁଭେଚ୍ଛା ଜଣାଇଥିଲେ। ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେଇ ଶ୍ରୀ ଆହୁଜାଙ୍କର କାର୍ଯ୍ୟଶୈଳୀ କଠୋର ଶାସନ ପ୍ରବୃତିଭିତିକ ନ ହୋଇ ସର୍ବଦା ଗଠନମୂଳକ ଓ ପରାମର୍ଶ ଭିତିକ ଥିଲା ବୋଲି ପ୍ରକାଶ କରିଥିଲେ।