କେନ୍ଦୁଝର ଜିଲ୍ଲାର ବିଭିନ୍ନ ବ୍ଲକରେ ଅନୁଷ୍ଠିତ ହେଉଛି ନିଯୁକ୍ତି ପରାମର୍ଶ ମେଳା
ଜିଲ୍ଲାର ଯୁବକଯୁବତୀଙ୍କୁ ଉପଯୁକ୍ତ ତାଲିମ ଦେଇ ସ୍ୱରୋଜଗାରକ୍ଷମ କରିବା ଲକ୍ଷ୍ୟ..
କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ଯୁବକଯୁବତୀ ମାନଙ୍କୁ କର୍ମସଂସ୍ଥାନ ଯୋଗାଇବା, ସ୍ଵରୋଜଗାରକ୍ଷମ କରିବା ଓ ଯୁବ ଉଦ୍ୟୋଗୀ ଭାବେ ପ୍ରତିଷ୍ଠିତ କରାଇବା ପାଇଁ ଉପଯୁକ୍ତ ତାଲିମ ଓ ମାର୍ଗ ଦର୍ଶନ ପ୍ରଦାନ କରିବା ନିମନ୍ତେ ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ବିଭାଗ ପକ୍ଷରୁ ଜିଲ୍ଲାରେ ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଜିଲ୍ଲାର ବେକାର ଯୁବକ ଯୁବତୀ ମାନଙ୍କୁ ସାମ୍ପ୍ରତିକ ସ୍ଥିତିରେ ଗୁରୁତ୍ୱ ବହନ କରୁଥିବା ବିଭିନ୍ନ କ୍ଷେତ୍ରରେ କର୍ମ ନିଯୁକ୍ତି ପ୍ରଦାନ ତଥା ସ୍ୱରୋଜଗାରକ୍ଷମ କରିବା ପାଇଁ ଆବଶ୍ୟକୀୟ ତାଲିମ ପ୍ରଦାନ କରିବା ନିମନ୍ତେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏବଂ ଜିଲ୍ଲା ପ୍ରଶାସନ ଦ୍ୱାରା ପରିଚାଳିତ ଜିଲ୍ଲା ଖଣିଜ ପ୍ରତିଷ୍ଠାନର ସହଭାଗିତାରେ ବ୍ଲକ ସ୍ତରୀୟ ନିଯୁକ୍ତି ପରାମର୍ଶ ଶିବିର ଆୟୋଜିତ ହେଉଛି ।
ଜିଲ୍ଲାର ସମସ୍ତ ୧୩ଗୋଟି ବ୍ଲକରେ ପର୍ଯ୍ୟାୟକ୍ରମେ ପରାମର୍ଶ ମେଳା ଆୟୋଜନ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ନିଷ୍ପତ୍ତି ଅନୁଯାୟୀ ବାଂଶପାଳ ଓ ତେଲକୋଇରେ ଏହି ଶିବିର ଗତ ୨୩ ଓ ୨୪ ରେ ଆୟୋଜିତ ହୋଇଛି ଯେଉଁଥିରେ ଶତାଧିକ ଯୁବକଯୁବତୀ ଯୋଗ ଦେଇଥିଲେ ।
ଆଗାମୀ ଦିନରେ ଡ଼ିସେମ୍ବର ୩୦ରେ ଝୁମ୍ପୁରା ବ୍ଲକ, ୩୧ ରେ ଚମ୍ପୁଆ, ଜାନୁଆରୀ ୩ ରେ ଯୋଡ଼ା, ୪ ରେ ପାଟଣା, ୬ ରେ ସାହାରପଡ଼ା, ୭ରେ କେନ୍ଦୁଝର ସଦର ବ୍ଲକ, ୮ ତାରିଖରେ ହରିଚନ୍ଦନପୁର, ୧୫ରେ ଘଟଗାଁ, ୧୬ରେ ଘଷିପୁରା, ୧୭ରେ ଆନନ୍ଦପୁର ଏବଂ ୧୮ ରେ ହାଟଡିହି ବ୍ଲକରେ ଏହି ଶିବିର ଆୟୋଜନ ହେବ ବୋଲି ଜିଲ୍ଲା ନିୟୋଜନ ଅଧିକାରୀ ଶ୍ରୀ ଗଣେଶ୍ୱର ନାୟକ ସୂଚନା ଦେବା ସହ ସେହି ସବୁ ବ୍ଲକର ଯୁବକଯୁବତୀ ଏଥିରେ ସାମିଲ ହେବା ପାଇଁ ନିବେଦନ କରିଛନ୍ତି ।