ଦୁଇଦିନ ପରେ ଚାକିରିରୁ ଅବସର ଗ୍ରହଣ କରିଥାନ୍ତେ, ଧରା ପଡ଼ିଗଲେ ଭିଜିଲାନ୍ସ ହାତରେ । ଭିଜିଲାନ୍ସ ଅଧିକାରୀଙ୍କ ହାତରୁ ଖସିଯିବାର ଅନ୍ୟ ବାଟ ନପାଇ ଅଭିଯୁକ୍ତ ଇଞ୍ଜିନିୟର ବାବୁ ଝରକା ବାଟେ ବିଡ଼ା ବିଡ଼ା ଟଙ୍କା ବଣ୍ଡିଲ ପକାଇ ଦେଲେ । ତାକୁ ତୁରନ୍ତ ନଷ୍ଟ କରି ଦେବା ପାଇଁ ଅପଚେଷ୍ଟା କରୁଥିଲେ ମାତ୍ର ପାରିଲେନି । ଟଙ୍କାଗୁଡ଼ାକ ସଂପୂର୍ଣ୍ଣ ଜଳିଯିବା ପୂର୍ବରୁ ଭିଜିଲାନ୍ସ ସେଗୁଡ଼ିକୁ ଜବତ କରି ସାରିଥିଲା ।
ଆୟ ତୁଳନାରେ ଅଧିକ ସଂପତି ଠୁଳ ଅଭିଯୋଗରେ ଭୁବନେଶ୍ୱର ଗ୍ରାମୀଣ ବିକାଶ ବିଭାଗର ବରିଷ୍ଠ ଅଧିକାରୀ ବୈକୁଣ୍ଠନାଥ ଷଡ଼ଙ୍ଗୀଙ୍କୁ ମାଡ଼ିବସିଛି ଭିଜିଲାନ୍ସ ବିଭାଗ । ବାବୁଙ୍କ ପରିବାର ମାଲିକାନାରେ ଥିବା ଭୁବନେଶ୍ୱର, ଅନୁଗୁଳ ଓ ପିପିଲି ସମେତ ୭ଟି ସ୍ଥାନରେ ଚଢ଼ଉ କରାଯାଇଛି । ଚଢ଼ଉ ଅଭିଯାନରେ ୮ ଜଣ ଡିଏସ୍ପି, ୧୨ ଜଣ ବ୍ୟବହାର ଇନ୍ସପେକ୍ଟର, ୬ ଜଣ ଏଏସ୍ଆଇଙ୍କ ସମେତ କିଛି ତଳିଆ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିଲା । ଚିଫ୍ ଇଞ୍ଜିନିୟର ଷଡ଼ଙ୍ଗୀଙ୍କ ଘର ନଗଦ ୨ କୋଟି ଟଙ୍କା ଜବତ କରାଯାଇଛି । ବାବୁଙ୍କର ଅନୁଗୁଳ ଘରୁ ୯୦ ଲକ୍ଷ ଓ ଭୁବନେଶ୍ୱର ଘରୁ ୧ କୋଟି ୧୦ ଲକ୍ଷ ଟଙ୍କା ଜବତ କରାଯାଇଛି ।