ମାର୍ଚ୍ଚ ୨୫ରୁ ରତ୍ନଭଣ୍ଡାର ଗଣତି ମଣତି

ସରିଲା ଶ୍ରୀମନ୍ଦିର ପରିଚାଳନା କମିଟିର ……

ପୁରୀ: ସରିଲା ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ। ଦୂର ହେଲା ଲୋକଙ୍କ ଦ୍ୱନ୍ଦ ଓ ଆଶଙ୍କା। ଆସନ୍ତା ମାର୍ଚ୍ଚ ମାସ ୨୫ ତାରିଖ ବୁଧବାର ଦିନ ହେବ ଅଳଙ୍କାର ଗଣତି ମଣତି ପ୍ରକ୍ରିୟା। ଏହି ପ୍ରକ୍ରିୟାରେ ୨ଟି ଟିମ ଉପସ୍ଥିତ ରହିବେ। ଦିନ ୧୨.୨୦ରୁ ୧.୪୫ ମଧ୍ୟରେ ବାହାରିଛି ମାହେନ୍ଦ୍ର ବେଳା। ଚୈତ୍ର ଶୁକ୍ଳ ସପ୍ତମୀ ତିଥିରେ ଖୋଲାଯାଇ ଗଣତିମଣତି ପ୍ରକ୍ରିୟା ଆରମ୍ଭ ହେବ। ଏନେଇ ପରିଚାଳନା କମିଟିରେ ନିଷ୍ପତି ନିଆଯାଇଛି। ତିନୋଟି ପର୍ଯ୍ୟାୟରେ ଅଳଙ୍କାର ଗଣତିମଣତି ହେବ। ପ୍ରଥମେ ଚଳନ୍ତି, ପରେ ବାହାର ଓ ଶେଷରେ ଭିତର ରତ୍ନଭଣ୍ଡାରରୁ ଅଳଙ୍କାର ଗଣତିମଣତି ହେବ। ଗଣତି ମଣତି ସମୟରେ ବାହାର କାଠ ଦର୍ଶନ ହେବ। ଶନିବାର ରବିବାର ସମେତ ଯାନିଯାତ୍ରା ଓ ନିତି ବହୁଳ ସମୟରେ ଗଣତି ମଣତି କରାଯିବ ନାହିଁ। ଗଣତିମଣତି ସମୟରେ ଡ଼ିଜିଟାଇଜେସନ ଓ ସ୍ୱଚ୍ଛତା ଅବଲମ୍ବନ କରାଯିବ। ଏ ସଂପର୍କରେ କୋର୍ଟକୁ ଅବଗତ କରାଯିବ।

ମାଙ୍କଡ ନେଇଗଲା ସ୍ତ୍ରୀ’ଙ୍କ ଭ୍ୟାନିଟି, ମନ୍ଦିର ଉପରେ ଚଢ଼ିଗଲେ

ପୁରୀ: ମାଙ୍କଡ ନେଇଗଲା ସ୍ତ୍ରୀ’ଙ୍କ ଭ୍ୟାନିଟି। ଆଉ ସେଥିପାଇଁ ମନ୍ଦିର ଉପରକୁ ଚଢ଼ିଗଲେ ସ୍ୱାମୀ। ସୋମବାର ପୁରୀ ଶ୍ରୀମନ୍ଦିରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହି ଦୃଶ୍ୟ ଦେଖିବା ପରେ ଶ୍ରୀମନ୍ଦିରର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି କାରଣ ଭ୍ୟାନିଟି ବ୍ୟାଗ ମାଙ୍କଡ ନେଇଯିବାରୁ ଶ୍ରୀମନ୍ଦିର ଗୁମୁଟ ଉପରେ ଚଢି ଯାଇଥିଲେ ଜଣେ ଭକ୍ତ। ସନ୍ଧ୍ୟାରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ଭକ୍ତଙ୍କ ଭ୍ୟାନିଟି ବ୍ୟାଗ ମାଙ୍କଡ ନେଇଯାଇ ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟ ଉପରକୁ ଚାଲିଯାଇଥିଲା। ସମ୍ପୃକ୍ତ ଭକ୍ତ ଜଣକ ସିଂହଦ୍ୱାର ଗୁମୁଟ ଉପରକୁ ଚଢି ମାଙ୍କଡ଼ ନିକଟରୁ ଭ୍ୟାନିଟି ବ୍ୟାଗ ଆଣିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସେଥିରେ ସଫଳ ହୋଇ ନଥିଲେ। ପରବର୍ତୀ ସମୟରେ ସେଠାରେ ଉପସ୍ଥିତ ସୁରକ୍ଷାକର୍ମୀ ଓ ପୁଲିସ ସମ୍ପୃକ୍ତ ଭକ୍ତଙ୍କୁ ତଳକୁ ଓହ୍ଲାଇବା ପାଇଁ କହିଥିଲେ। ତେବେ ଏଠାରେ ପ୍ରଶ୍ନ ଉଠୁଛି ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ ଭେଦ କରି ଭ୍ୟାନିଟି ବ୍ୟାଗ ଉଦ୍ଧାର ପାଇଁ ସମ୍ପୃକ୍ତ ଭକ୍ତ ଜଣକ ସିଂହଦ୍ୱାର ଗୁମୁଟ ଉପରକୁ କିଭଳି ଗଲେ। ସିଂହଦ୍ୱାର ଗୁମୁଟ ଉପରେ ଭକ୍ତ ଜଣକ ଚଢ଼ିବା ବେଳେ ସେଠାରେ ଉପସ୍ଥିତ ସୁରକ୍ଷାକର୍ମୀମାନେ ଭକ୍ତଙ୍କୁ କାହିଁକି ବାରଣ କରି ନଥିଲେ? ପୂର୍ବରୁ ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟରୁ ଜଣେ କିନ୍ନର ଚଢ଼ି ଆତ୍ମହତ୍ୟା କରିଥିବା ନଜିର ରହିଛି। ଆଜି ଗୁମୁଟ ଉପରେ ଯଦି ଅଘଟଣ ଘଟିଥାଆନ୍ତା; କିଏ ଦାୟୀ ରହିଥାନ୍ତା?