ଭୁବନେଶ୍ୱର,(ଏସ୍ ନ୍ୟୁଜ୍): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ନିକଟସ୍ଥ ମିଆଁମାର ଉପକୂଳରେ ଗୁରୁବାର ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଚଳିତ ମାସ ୧୮ ତାରିଖ ବେଳକୁ ଉତ୍ତର ଓଡ଼ିଶା ଉପକୂଳରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି । ଏହା ଲଘୁଚାପରେ ପରିଣତ ହେବା ପରେ ଏହାର ପ୍ରଭାବରେ ଶୁକ୍ରବାରଠାରୁ ପାଗ ମେଘୁଆ ରହିବା ସହ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଆରମ୍ଭ ହେବ । ୧୮ ତାରିଖ ବେଳକୁ ବର୍ଷାର ପରିମାଣ ବଢିବା ସହ ତିନି ଦିନ ଅଧା ଓଡ଼ିଶାକୁ ଭିଜାଇବ ବୋଲି ପୂର୍ବାନୁମାନ କରାଯାଇଛି।
ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଚଳିତ ମାସ ୧୮ ତାରିଖରେ ମୟୂରଭଞ୍ଜ, ଭଦ୍ରକ ଓ ବାଲେଶ୍ୱରରେ ପ୍ରବଳ ବର୍ଷା ହେବ । ସେହିପରି ୧୯ ତାରିଖ ପାଇଁ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲାଗୁଡ଼ିକ ହେଉଛି ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ୱର, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା । ୨୦ ତାରିଖରେ ଉତ୍ତର- ପଶ୍ଚିମ ଓଡ଼ିଶାର ୫ ଜିଲ୍ଲାରେ ଅଧିକ ବର୍ଷା ହେବ । ସୁନ୍ଦରଗଡ, ଝାରସୁଗୁଡ଼ା, ବରଗଡ, ଦେବଗଡ ଓ ସମ୍ବଲପୁରରେ ଅଧିକ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।ଏନେଇ ଆଇଏମ୍ଡ଼ି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ, ୧୯ ଓ ୨୦ ତାରିଖରେ ରାଜ୍ୟରେ କେତେକ ଅଞ୍ଚଳରେ ପ୍ରବଳ ବର୍ଷା ହୋଇପାରେ ।