ବନ୍ଧା ହେଲେ ନକଲି ଆଇପିଏସ୍

ଭୁବନେଶ୍ୱର(ଏସ୍ ନ୍ୟୁଜ): ନକଲି ପୋଲିସ ପୋଷାକ ପିନ୍ଧି ନିଜକୁ ଆଇପିଏସ୍ କହୁଥିବା ଜଣେ ମହିଳା ରାଉରକେଲାରୁ ଗିରଫ ହୋଇଛନ୍ତି। ମିଛ ପରିଚୟ ପତ୍ର ଦର୍ଶାଇ ସେ ଏକ ବାଇକ ସୋ ରୁମରୁ ବୁଲେଟ କିଣିବା ଅଭିଯୋଗ ହେବାପରେ ତାଙ୍କୁ ପୋଲିସ ହାଜତକୁ ନେଇଛି।

ଗିରଫ ମହିଳା ଜଣକ ହେଉଛନ୍ତି ଶର୍ମିଷ୍ଠା ବେହେରା। ସେ ପୂର୍ବରୁ ମଧ୍ୟ ଏହିପରି କାର୍ଯ୍ୟ କରି ଖବର ଶିରୋନାମା ସାଜିଥିଲେ। ତେବେ ଭୁବନେଶ୍ବରରେ ତାଙ୍କୁ କେବଳ ନୋଟିସ୍ ଦେଇ କମିସନରେଟ ପୋଲିସ ଛାଡ଼ିଦେଇଥିଲା। ହେଲେ ଦ୍ବିତୀୟ ପାଳିରେ ତାଙ୍କୁ ଗିରଫ କରାଯାଇଛି।

ଗତ 11 ତାରିଖରେ ସେ ରାଉରକେଲା ବାସନ୍ତୀ କଲୋନୀ ନିକଟରେ ଥିବା ଏକ ବାଇକ ସୋ ରୁମରୁ ନକଲି ଆଇପିଏସ ପରିଚୟ ପତ୍ର ଦେଇ ଏକ ବୁଲେଟ କିଣିଥିଲେ। ଫାଇନାନ୍ସ ବାଲାଙ୍କୁ ପୋଲିସ ଗିରି ଦେଖାଇ ସବୁ ସୁବିଧା ଯୋଗାଇବାକୁ ଧମକାଇଥିଲେ। ତେବେ ସନ୍ଦେହ ହେବାରୁ ବ୍ୟକ୍ତି ଜଣକ ଉଦିତନଗର ଥାନା ପୋଲିସକୁ ଖବର ଦେଇଥିଲେ। ଶେଷରେ ପୋଲିସ ତାଙ୍କୁ ଗିରଫ କରି ଠକାମିର ପର୍ଦ୍ଦାଫାସ କରିଛି।