ଓମିକ୍ରନ ଭୟ: ଲକ୍ଷଣ ଥିଲେ ବିମାନ ଯାତ୍ରା ମନା

ଭୁବନେଶ୍ୱର : କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ସଂକ୍ରମଣକୁ ଦୃଷ୍ଟିରେ ରଖି ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଥିବା ଏୟାରପୋର୍ଟଗୁଡ଼ିକ ପାଇଁ ସଂଶୋଧିତ କୋଭିଡ୍‌ ନିୟମାବଳୀ ଜାରି କରାଯାଇଛି । ଏଥିରେ କୋଭିଡ କଟକଣା ଓ ସ୍ୱାସ୍ଥ୍ୟ ଯାଞ୍ଚକୁ କଡାକଡି କରିବାକୁ କୁହାଯାଇଛି । ଅନ୍ତର୍ଜାତୀୟ ବିମାନଯାତ୍ରୀଙ୍କ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଓ ବେସାମରିକ ବିମାନଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଜାରି ଗାଇଡଲାଇନ ପାଳନ କରାଯିବ ।

ଅନ୍ୟପକ୍ଷରେ ଘରୋଇ ବିମାନଯାତ୍ରୀଙ୍କ ପାଇଁ କେନ୍ଦ୍ର ଗୃହମନ୍ତ୍ରାଳୟ ପାଇଁ ଗାଇଡଲାଇନକୁ କିଛିଟା କୋହଳ କରାଯାଇଛ । ଘରୋଇ ବିମାନଯାତ୍ରୀଙ୍କୁ କୋଭିଡ ରିପୋର୍ଟ କିମ୍ବା ଟିକା ପ୍ରମାଣପତ୍ର ଦାଖଲ କରିବା ଆବଶ୍ୟକ ନାହିଁ । ବିମାନରେ ବୋର୍ଡିଂ ବେଳେ ଯାତ୍ରୀଙ୍କ ଥର୍ମାଲ ସ୍କାନିଂ ହେବ ଓ କେବଳ ଲକ୍ଷଣ ନଥିବା ଯାତ୍ରୀଙ୍କୁ ବୋର୍ଡିଂ ଅନୁମତି ଦିଆଯିବ । ଅନ୍ୟପକ୍ଷରେ ଏୟାରପୋର୍ଟ ଛାଡ଼ିବା ସମୟରେ ଯାତ୍ରୀ ପିପିଇ କିଟ ଡଷ୍ଟବିନରେ ରଖିବା ସଂପର୍କରେ ଫ୍ଲାଇଟ ଭିତରେ ନିୟମିତ ଘୋଷଣା କରାଯିବ । ଫ୍ଲାଇଟ ଭିତରେ ଯାତ୍ରୀମାନେ କୋଭିଡ ଗାଇଡଲାଇନ ପାଳନ କରିବେ । ଯଦି ଜ୍ୱର ଆସିବା ସହ ତାପମାତ୍ରା ବୃଦ୍ଧି ଓ ଅନ୍ୟ ଲକ୍ଷଣ ଦେଖାଦିଏ ତେବେ ତୁରନ୍ତ କ୍ୟାବିନ କ୍ରିଉଙ୍କୁ ଜଣାଇବାକୁ କୁହାଯାଇଛି ।