ଫେବୃଆରୀ ୧୬ ଭାରତ ବନ୍ଦ ଡାକରା

କୃଷକ ଓ ଶ୍ରମିକ ସଂଗଠନର ‘ଚକା ଜାମ’

ଭୁବନେଶ୍ୱର: କୃଷକ ଓ ଶ୍ରମିକ ସଂଗଠନ ପକ୍ଷରୁ ଫେବୃଆରୀ ୧୬ ତାରିଖ ଦିନ ଦେଶବ୍ୟାପୀ ଚକା ଜାମ ଡାକରା ଦିଆଯାଇଛି । ଶିଳ୍ପକ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକ ଓ ମାଟିପାଣି ସହିତ ଜୀବନ କଟାଉଥିବା ଚାଷୀମାନଙ୍କ ଏକତାର ପ୍ରମାଣ ସ୍ୱରୂପ ଏହି ଡାକରାକୁ ସଫଳ କରିବା ପାଇଁ ପ୍ରାୟ ୩୬ଟି ସଂଗଠନ ଆହ୍ୱାନ କରିଛି । ଅଣ-ରାଜନୈତିକ ସଂଗଠନ ସଂଯୁକ୍ତ କିଷାନ ମୋର୍ଚ୍ଚା ଆୟୋଜିତ ଭାରତ ବନ୍ଦ ସକାଳ ୬ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଚାଲିବ ।

କୃଷକ ଓ ଶ୍ରମିକଙ୍କ ଭାରତ ବନ୍ଦ ଆନ୍ଦୋଳନକୁ ସଫଳ କରିବା ପାଇଁ ଦେଶବାସୀଙ୍କୁ ପୂର୍ଣ୍ଣ ସହଯୋଗ କାମନା କରାଯାଇଛି । କୃଷକ ଓ ଶ୍ରମିକମାନେ ଏକଜୁଟ ହୋଇ ଜାତୀୟ ରାଜପଥ, ରାଜ୍ୟ ରାଜପଥକୁ ଅବରୋଧ କରିବା ସହିତ ଟ୍ରେନ ଚଳାଚଳରେ ବାଧା ସୃଷ୍ଟି କରିପାରନ୍ତି ।

ଅତଏବ ଦୂରଦୂରାନ୍ତକୁ ଯିବାକୁ ଚାହୁଁଥିବା ଲୋକମାନେ ୧୬ ତାରିଖ ଦିନ ଯାତ୍ରା ନକଲେ ଭଲ । ବନ୍ଦ ସମୟରେ ଆମ୍ବୁଲାନ୍ସ ଚଳାଚଳ କରିବ । ଔଷଧ ଦୋକାନ, ବିଦ୍ୟାଳୟଗୁଡ଼ିକ ଖୋଲା ରହିବ । ଅତ୍ୟାବଶ୍ୟକ ସେବାକ୍ଷେତ୍ର ବାଧାପ୍ରାପ୍ତ ହେବନି ।

କୃଷକ ଓ ଶ୍ରମିକଙ୍କ ସର୍ବନିମ୍ନ ସମସ୍ୟାଗୁଡ଼ିକ ପ୍ରତି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ବନ୍ଦ ଡାକରା ଦିଆଯାଇଛି ।