୩ ମେୟର ପଦ ପାଇଁ ଚୂଡ଼ାନ୍ତ ସଂରକ୍ଷଣ ତାଲିକା

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ପରେ ପରେ ହେବ ପୌର ନିର୍ବାଚନ। ଏଥିପାଇଁ ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମେୟର ପଦବୀ ପାଇଁ ସଂରକ୍ଷଣ ତାଲିକା ଚୂଡ଼ାନ୍ତ ହୋଇଛି। ନଗର ଉନ୍ନୟନ ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି। ଭୁବନେଶ୍ବର ଓ ବ୍ରହ୍ମପୁର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ । କଟକ ମେୟର ପଦବୀ ଅଣସଂରକ୍ଷିତ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।

ବ୍ରହ୍ମପୁର, କଟକ, ଭୁବନେଶ୍ବର ପାଇଁ ଚୂଡ଼ାନ୍ତ ୱାର୍ଡ ସୀମା ନିର୍ଦ୍ଧାରଣ କରାଯାଇଛି । ସୀମା ନିର୍ଦ୍ଧାରଣ ସହ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ବ୍ରହ୍ମପୁରର ମୋଟ୍ ୪୨ଟି ୱାର୍ଡରୁ ୨୩ଟି ୱାର୍ଡ ସଂରକ୍ଷିତ, କଟକରେ ମୋଟ୍ ୫୯ଟି ୱାର୍ଡରୁ ୩୩ଟି ୱାର୍ଡ ସଂରକ୍ଷିତ, ଭୁବନେଶ୍ବରର ୬୭ଟି ୱାର୍ଡରୁ ୩୮ଟି ସଂରକ୍ଷିତ ନେଇ ତାଲିକା ପ୍ରକାଶ ପାଇଛି ।
ଏହାପରେ ଖୁବ୍ ଶୀଘ୍ର ୧୦୭ ପୌରାଧ୍ୟକ୍ଷ ପଦ ପାଇଁ ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଜଣାପଡ଼ିଛି। ଏନେଇ ଆସିଥିବା ଅଭିଯୋଗଗୁଡ଼ିକର ଶୁଣାଣି ଚାଲିଛି। ପଞ୍ଚାୟତ ନିର୍ବାଚନ ଫେବୃଆରୀରେ ଆରମ୍ଭ ହୋଇ ମାର୍ଚ୍ଚ ଶେଷ ଯାଏ ଚାଲିବ। ଏପ୍ରିଲ, ମେ’ ସୁଦ୍ଧା ପୌର ନିର୍ବାଚନ ହେବ ବୋଲି ନଗର ଉନ୍ନୟନ ବିଭାଗ କହିଛି। ଖୁବ୍ଶୀଘ୍ର ଅନ୍ୟ ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ମଧ୍ୟ ସୀମା ନିର୍ଦ୍ଧାରଣ ଶେଷ ହେବ। ଏହାପରେ ପୌର ନିର୍ବାଚନ ପାଇଁ ବିଜ୍ଞପ୍ତି ଆସିବ ବୋଲି ଜଣାପଡ଼ିଛି।