ଝାରବନ୍ଧ: ଲୋକସଭା ନିର୍ବାଚନ ପୂର୍ବରୁ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୨୪ ବିଧାନସଭା ନିର୍ବାଚନର ଠିକ୍ ଛଅମାସ ପୂର୍ବରୁ ପଦ୍ମପୁରକୁ ଜିଲ୍ଲା ଘୋଷଣା କରିବା ଫଳରେ ବିଜେଡି ପକେଟକୁ ୧୦୦% ଭୋଟ ଚାଲିଯିବା ଆଶା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଶ୍ଚିମ ଓଡ଼ିଶାରୁ ବିଜେପିକୁ ନିଶ୍ଚିହ୍ନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କର ଏଭଳି ପ୍ରୟାସକୁ ଉଚ୍ଚ ପ୍ରଶଂସା କରିଛି ଆମ ଜନତା ଦଳ (ଏଜେଡି)। ଠିକ୍ ମଉକା ଦେଖି କେନ୍ଦ୍ରମନ୍ତ୍ରୀଙ୍କ ତେରେଚ୍ଛା ବାଣ ମାରିଛନ୍ତି ମୁଖ୍ୟମନ୍ତ୍ରୀ ପଟ୍ଟନାୟକ । ଉପନିର୍ବାଚନ ଅମଳର ପ୍ରତିଶ୍ରୁତିକୁ ରକ୍ଷା କରିଥିବା କହି ମୁଖ୍ୟମନ୍ତ୍ରୀ ଭୋଟରଙ୍କ ମନ କିଣି ନେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସେ କଥାରେ ନୁହେଁ କାମରେ ବିଶ୍ୱାସ କରନ୍ତି । ମାତ୍ର କେନ୍ଦ୍ରମନ୍ତ୍ରୀମାନେ କେବଳ ଫୁଟାଣି ମାରିପାରନ୍ତି।
ରାଜନୀତି ପୂର୍ବରୁ ନବୀନବାବୁ ତାଙ୍କ ଜୀବନର ଅଧିକ ସମୟ ଓଡ଼ିଶା ବାହାରେ କଟାଇଥିଲେ । ରାଜନୀତି କରିବା ପରଠାରୁ ବହୁ କମ୍ ସମୟ ପାଇଁ ରାଜ୍ୟ ବାହାରକୁ ଯାଉଛନ୍ତି । ମାତ୍ର ବିଜେପିର ଯୋଉ ନେତାମାନେ ରାଜନୀତି ପୂର୍ବରୁ ଓଡ଼ିଶାରେ ସର୍ବାଧିକ ସମୟ କଟାଇଥିଲେ; ସେମାନେ ଏବେ ଓଡ଼ିଶା ବାହାରେ ରହି ରାଜନୀତି କରୁଛନ୍ତି ।
ବରଗଡ଼-ନୂଆପଡ଼ା ରେଳଲାଇନ୍ କଥା ମନେପକାଇ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ବିଜେପି ନେତାଙ୍କୁ କଟାକ୍ଷ କରିଥିଲେ । ମୁଖ୍ୟମନ୍ତ୍ରୀ ଝାରବନ୍ଧ, ପାଇକମାଳ ଓ ପଦ୍ମପୁରଠାରେ ଅନୁଷ୍ଠିତ ଜନ ସମାବେଶରେ ଯୋଗ ଦେଇ ପଶ୍ଚିମ ଓଡ଼ିଶାର ବିଜେପି ନେତାଙ୍କ କାର୍ଯ୍ୟକଳାପକୁ ନାପସନ୍ଦ କରିଥିଲେ ।