ଅକ୍ଟୋବର ୨୫ ତାରିଖ ଅମାବାସ୍ୟା ତିଥିରେ ପଡୁଛି ଆଂଶିକ ସୂର୍ଯ୍ୟ ପରାଗ । ଭୁବନେଶ୍ୱର ଓ କଟକ ସହର ବାସିନ୍ଦା ଆଂଶିକ ସୂର୍ଯ୍ୟ ପରାଗକୁ ଦେଖିପାରିବେ । ଅପରାହ୍ଣ ୪ଟା ୫୬ରୁ ୫ଟା ୧୬ ମିନିଟ୍ ପର୍ଯ୍ୟନ୍ତ ମାତ୍ର ୨୦ ମିନିଟ୍ ପାଇଁ ଆଂଶିକ ସୂର୍ଯ୍ୟ ପରାଗ ଦୃଷ୍ଟିଗୋଚର ହେବ । କୋରାପୁଟ ଜିଲ୍ଲାରେ ଅପରାହ୍ଣ ୪ଟା ୫୮ ମିନିଟ୍ରୁ ୫ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଆଂଶିକ ସୂର୍ଯ୍ୟ ପରାଗ ଦୃଷ୍ଟିଗୋଚର ହେବ ।
ତୀର୍ଥଯାତ୍ରୀଙ୍କ ସହର ପୁରୀରେ ଆଂଶିକ ସୂର୍ଯ୍ୟ ପରାଗ ଅପରାହ୍ଣ ୪ଟା ୫୭ ମିନିଟ୍ରୁ ଆରମ୍ଭ ହୋଇ ୫ଟା ୧୭ ମିନିଟ୍ ପର୍ଯ୍ୟନ୍ତ ଦୃଷ୍ଟିଗୋଚର ହେବ । ସମ୍ବଲପୁର ଜିଲ୍ଲାରେ ସୂର୍ଯ୍ୟ ପରାଗ ଅପରାହ୍ଣ ୪ଟା ୫୨ ମିନିଟ୍ରୁ ୫ଟା ୨୨ ମିନିଟ୍ ପର୍ଯ୍ୟନ୍ତ ଦୃଷ୍ଟିଗୋଚର ହେବ । ସଂକ୍ଷେପରେ କହିଲେ ଲୋକମାନେ ୫ଟା ୨୨ ମିନିଟ୍ ପର୍ଯ୍ୟନ୍ତ ସୂର୍ଯ୍ୟ ପରାଗ ପ୍ରଭାବକୁ ଅନୁଭବ କରିପାରିବେ । ସୂର୍ଯ୍ୟାସ୍ତ କାରଣରୁ ଓଡ଼ିଶାର କୌଣସି ଅଂଚଳର ଲୋକମାନେ ସଂପୂର୍ଣ୍ଣ ସୂର୍ଯ୍ୟ ପରାଗ ଦେଖିପାରିବେ ନାହିଁ ।
ଭୂବିଜ୍ଞାନ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ ଦିଲ୍ଲୀରେ ସୂର୍ଯ୍ୟ ପରାଗ ଅବଧି ୧ ଘଂଟା ୧୩ ମିନିଟ୍ ରହିବ । ମୁମ୍ବାଇରେ ସୂର୍ଯ୍ୟ ପରାଗ ଅବଧି ୧ ଘଂଟା ୧୯ ମିନିଟ୍ ରହିବ । ଚେନ୍ନାଇ ଓ କୋଲକାତାରେ ସୂର୍ଯ୍ୟ ପରାଗ ଅବଧି ଯଥାକ୍ରମେ ୩୧ ମିନିଟ୍ ଓ ୧୨ ମିନିଟ୍ ପାଇଁ ଦେଖାଯିବ । କିନ୍ତୁ ଗୁଜରାଟର ଦ୍ୱାରକାରେ ସୂର୍ଯ୍ୟ ପରାଗ ସର୍ବାଧିକ ୧ ଘଂଟା ୪୫ ମିନିଟ୍ ପାଇଁ ଦେଖାଯିବ ।ପୃଥିବୀର ସବୁ ଅଂଚଳର ଲୋକମାନେ ଭିନ୍ନଭିନ୍ନ ସମୟରେ ସୂର୍ଯ୍ୟପରାଗ ଦେଖିପାରିବେ ।
ଏକା ସମୟରେ ସବୁ ଅଂଚଳର ଲୋକମାନେ ସୂର୍ଯ୍ୟପରାଗର ଆନନ୍ଦ ନେଇପାରିବେ ନାହିଁ । ୟୁରୋପ, ମଧ୍ୟପ୍ରାଚ୍ୟ, ଉତର-ପୂର୍ବ ଆଫ୍ରିକା, ପଶ୍ଚିମ ଏସିଆ, ଉତର ଆଟ୍ଲାଂଟିକ ମହାସାଗର, ପଶ୍ଚିମ ଚୀନ, ଭାରତ ଓ ତା’ର ପଡେ଼ାଶୀ ଦେଶଗୁଡ଼ିକ ଅଲଗା ଅଲଗା ସମୟରେ ସୂର୍ଯ୍ୟ ପରାଗ ଦେଖିପାରିବେ । ରୁଷିଆର ନିଜହେନଭାର୍ଟୋଭସ୍କ ଅଂଚଳରେ ସୂର୍ଯ୍ୟଙ୍କର ସର୍ବାଧିକ ଭାଗ ଅନ୍ଧକାରାଚ୍ଛନ୍ନ ରହିବ । ଭାରତବାସୀ ସୂର୍ଯ୍ୟ ପରାଗର ୪୩ ଭାଗ ଦେଖିପାରିବେ । ସୂର୍ଯ୍ୟାସ୍ତର ଠିକ୍ ପୂର୍ବରୁ ପରାଗ ଲାଗୁଥିବାରୁ ସୂର୍ଯ୍ୟପରାଗ ପ୍ରଭାବ ବେଶିକ୍ଷଣ ରହିବ ନାହିଁ ।
ସାଧାରଣ ଭାଷାରେ କହିଲେ, ଭାରତରେ ଦିନ ୨ଟା ୨୮ ମିନିଟରୁ ସୂର୍ଯ୍ୟ ପରାଗ ଆରମ୍ଭ ହୋଇ ୪ଟା ୨୯ ମିନିଟ୍ରେ ଚରମ ସ୍ତରରେ ପହଂଚିବ । ସନ୍ଧ୍ୟା ୬ଟା ୩୨ ମିନିଟ୍ ପର୍ଯ୍ୟନ୍ତ ସୂର୍ଯ୍ୟ ପରାଗ ସକ୍ରିୟ ରହିବ । ସୂର୍ଯ୍ୟପରାଗ ସମୟରେ ପଦାକୁ ନବାହାରିବା ପାଇଁ ଜ୍ୟୋତିର୍ବିଦମାନେ ପରାମର୍ଶ ଦେଇଛନ୍ତି । ସୂର୍ଯ୍ୟପରାଗ ସମୟରେ ଖାଦ୍ୟରନ୍ଧନ, ଖାଦ୍ୟଗ୍ରହଣ, ପୂଜାର୍ଚ୍ଚନାକୁ ବାରଣ କରାଯାଇଛି । ଏପରିକି ସୂର୍ଯ୍ୟପରାଗକୁ ଖାଲି ଆଖିରେ ଦେଖିବା ଅଶୁଭ ବୋଲି ଜ୍ୟୋତିଷମାନେ କହିଛନ୍ତି । ବୈଜ୍ଞାନିକଙ୍କ ମତରେ ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ଗତି କାରଣରୁ ସୂର୍ଯ୍ୟ ପରାଗ ଅନୁଭୂତ ହୋଇଥାଏ ।