ଶ୍ରାବଣ ମାସର ପ୍ରଥମ ସୋମବାର ଅବସରରେ ଗଣିଆ ବ୍ଳକର ପ୍ରମୁଖ ଶୈବପୀଠ ଛାମୁଣ୍ଡିଆ ସ୍ଥିତ ଗୁପ୍ତେଶ୍ୱର ମହାଦେବ ଏବଂ ରାଉତପଡାସ୍ଥିତ ଭୋଳେଶ୍ବର ମହାଦେବଙ୍କ ପୀଠରେ ବୋଲବମ୍ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ବିଶେଷକରି ରାଉତପଡା ମହାନଦୀ ଘାଟରୁ ହଜାର ହଜାର କାଉଡ଼ିଆ ଜଳଲାଗି ନିମନ୍ତେ ପାଣି ଉଠାଇଛନ୍ତି ।
କାଉଡ଼ିଆ ମାନେ ପାରମ୍ପରିକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରି ଭାର କାନ୍ଧେଇ ଡାକ ଛାଡି ବାହାରିଥିବା ଦେଖିବାକୁ ମିଳିଛି । ଏହି ବୋଲବମ୍ ଯାତ୍ରାରେ ବହୁ ସଂଖ୍ୟାରେ ମହିଳା ଯୋଗ ଦେଇ ନିଜର ମାନସିକ ପୂରଣ ପାଇଁ ହରହର ମହାଦେବଙ୍କୁ ଜଳଲାଗି କରିଛନ୍ତି । ଓଡିଶାର ଅନେକ ସ୍ଥାନରୁ ଭକ୍ତମାନେ ଏହି ଶୈବପୀଠକୁ ଆସି ପାଣି ଉଠାନ୍ତି ତ ଆଉ ଅନେକ କାଉଡ଼ିଆ ଅନ୍ୟ ସ୍ଥାନରୁ ପାଣି ଉଠାଇ ରାଉତପଡା ଭୋଳେଶ୍ବରଙ୍କ ଶିବଲିଙ୍ଗରେ ଜଳଲାଗି କରିଥାନ୍ତି ।
କାଉଡ଼ିଆ ମାନଙ୍କ ପାଇଁ ଗଣିଆ ତଳବଜାର ଠାରେ ଭଜନ ସମାରୋହ ସହିତ ପ୍ରସାଦ ସେବନର ବନ୍ଦୋବସ୍ତ କରାଯାଇଥିଲା । ପ୍ରତିବର୍ଷ ତଳବଜାର ବୋଲବମ୍ କମିଟି ତରଫରୁ କାଉଡ଼ିଆ ମାନଙ୍କ ପାଇଁ ଏଭଳି ବନ୍ଦୋବସ୍ତ କରାଯାଉଛି । କମିଟିର ଅଜୟ କୁମାର ଲେଙ୍କା, ସନ୍ତୋଷ କୁମାର ଲେଙ୍କା, କୁଳମଣି ସାହୁ, ଚିତ୍ତରଞ୍ଜନ ସାହୁ, ପ୍ରଦୀପ୍ତ କୁମାର ମହାପାତ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି ।