ବାତ୍ୟା ପରେ ବନ୍ୟା ଆସୁଛି!

ଭୁବନେଶ୍ୱର,(ଏସ୍ ନ୍ୟୁଜ): ବାତ୍ୟା ୟାସ୍ ପ୍ରଭାବରେ ଉପରମୁଣ୍ଡ ଝାଡ଼ଖଣ୍ଡରେ ଗତକାଲିଠୁ ବର୍ଷା ଲାଗିରହିଛି । ଆସନ୍ତ।କାଲି (ଶୁକ୍ରବାର) ଦିନ ତମାମ ବର୍ଷା ଲାଗି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ କହିବା ପରେ ବ୍ରାହ୍ମଣୀ ନଦୀରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି।
ଏହା ସହିତ ବାତ୍ୟା ୟାସ୍ ପ୍ରଭାବରେ ଲଗାଣ ବର୍ଷା ଯୋଗୁ ଫୁଲିଛି ବୈତରଣୀ । ନଦୀର ଜଳସ୍ତର ସତର୍କ ସଙ୍କେତ ପାର କରିଛି । ଆନନ୍ଦପୁରଠାରେ ବୈତରଣୀ ନଦୀର ସତର୍କ ସଙ୍କେତ ୩୭.୪୪୦ ମିଟର ରହିଥିବା ବେଳେ ଏବେ ଜଳସ୍ତର ରହିଛି ୩୮.୨୯୦ ମିଟର । ଉପର ମୁଣ୍ଡରେ ବର୍ଷା ଅଧିକ ହେଲେ ଆହୁରି ଫୁଲିବ ବୈତରଣୀ । ଫଳରେ ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି ।
କିଛି ସ୍ଥାନରେ ରାସ୍ତା ଉପରେ ନଦୀର ପାଣି ପ୍ରବାହିତ ହେଉଛି । କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ତୁରୁମୁଙ୍ଗା ନିକଟରେ ବୈତରଣୀ ପୋଲ ଉପରେ ୩ ଫୁଟର ବନ୍ୟା ପାଣି ପ୍ରବାହିତ ହେଉଛି । ଫଳରେ କେନ୍ଦୁଝର-ମୟୂରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

ଆସନ୍ତାକାଲି ଉପରମୁଣ୍ଡ ଝାଡ଼ଖଣ୍ଡର ବର୍ଷା ପାଣି କାରୋ ନଦୀ ଦେଇ କୋଏଲନଦୀ ଓ ପରେ ବ୍ରାହ୍ମଣୀରେ ପ୍ରବେଶ କଲେ ବନ୍ୟା ସ୍ଥିତି ସୃଷ୍ଟି ହେବା ନିଶ୍ଚିତ। ବର୍ତ୍ତମାନ ବର୍ଷାପାଣି ବିପଦ ସଙ୍କେତ ତଳେ ପ୍ରଭାବିତ ହେଉଛି। ସେପଟେ ସ୍ଥିତି ଉପରେ ନଜର ରଖିଛି ଜିଲ୍ଲା ପ୍ରଶାସନ। ବୈତରଣୀ ବିପଦ ସଂକେତ ଉପରେ ନଜରଖି ଜିଲ୍ଲା ପ୍ରଶାସନ ଭଦ୍ରକ,କେନ୍ଦୁଝର,ଯାଜପୁର ଓ କେନ୍ଦ୍ରାପଡା କୁ ସତର୍କ କରାଯାଇଛି । ବନ୍ୟାଜଳ ବସ୍ତିକୁ ପଶିବା ଆରମ୍ଭ କଲେ ତଳି ଅଞ୍ଚଳର ପରିବାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯିବାକୁ ଜିଲ୍ଲା ପ୍ରଶାସନ ଆଗୁଆ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ଜଣାପଡିଛି।