ପୂର୍ବତନ ପ୍ରସାର ଭାରତୀ ଏଡିଜି ଅଭୟ ପାଢ଼ୀଙ୍କ ପରଲୋକ

ଭୁବନେଶ୍ୱର(ଏସ୍ ନ୍ୟୁଜ): ପ୍ରସାର ଭାରତୀର ପୂର୍ବତନ ଅତିରିକ୍ତ ମହାନିର୍ଦେଶକ(ଏଡିଜି) ଅଭୟ ପାଢ଼ୀ ସୋମବାର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ କରୋନାରେ ଆକ୍ରାନ୍ତ ହୋଇ ବରଗଡ଼ର ବିକାଶ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ଆସିୟୁରେ ଭେଣ୍ଟିଲେଟର ସପୋର୍ଟରେ ଥିବା ଅବସ୍ଥାରେ ତାଙ୍କର ଆଜି ପରଲୋକ ହୋଇଯାଇଛି।

୧୯୪୯ ମସିହାରେ ଜନ୍ମଗ୍ରହଣ କରିଥିବା ଅଭୟ ପାଢ଼ୀ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ଇଂରାଜୀରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିଥିଲେ। କିଛି ଦିନ ଅଧ୍ୟାପକ ଭାବେ କାର୍ଯ୍ୟକରି ସେ ୧୯୭୫ ମସିହାରେ ପିଏସସିରେ ଉତୀର୍ଣ୍ଣ ହୋଇ ପ୍ରସାର ଭାରତୀ ପାଇଁ ମନୋନୀତ ହୋଇଥିଲେ। ଦୀର୍ଘ ୩୫ ବର୍ଷ ଧରି ସେ ଉଭୟ ଅଲ୍ ଇଣ୍ଡିଆ ରେଡ଼ିଓ ଏବଂ ଦୁରଦର୍ଶନରେ କାର୍ଯ୍ୟ କରିଛନ୍ତି। ଶେଷରେ ସେ ପ୍ରସାର ଭାରତୀର ଏଡିଜି ଭାବରେ ୨୦୦୯ରେ ଚାକିରିରୁ ଅବସର ନେଇଥିଲେ।

ଜଣେ ଦୃଷ୍ଟିହୀନ ବ୍ୟକ୍ତିର ଭାବନା ଏବଂ ତା ଜୀବନରେ ଶବ୍ଦର ଭୂମିକାକୁ ନେଇ ଶ୍ରୀ ପାଢ଼ୀ ସଂରଚନା କରିଥିବା ପ୍ରୋଗ୍ରାମ ‘ଅନ୍ତର୍ଦୃଷ୍ଟିରେ ପୃଥିବୀ’ ଲାଗି ବାର୍ଷିକ ଆକାଶବାଣୀ ପୁରସ୍କାର ପାଇଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଠାରୁ ମଧ୍ୟ ସେ ସମ୍ମାନିତ ହୋଇଛନ୍ତି। ଚାକିରି ଜୀବନରେ ବହୁ ସଫଳତା ବ୍ୟତୀତ ଜଣେ ଲେଖକ ଭାବେ ମଧ୍ୟ ତାଙ୍କର ବହୁ ସୁନାମ ରହିଥିଲା। ବିଶେଷ କରି ସମ୍ବଲପୁରୀ କଳା ସଂସ୍କୃତି, କୋଶଳୀ ଭାଷା ସମ୍ପର୍କରେ ଲିଖିତ ତାଙ୍କର ବହୁ ଲେଖା ହିନ୍ଦୀ ଏବଂ ବଙ୍ଗାଳୀ ଭାଷାରେ ଅନୁବାଦ ହୋଇଛି। ‘Sambalpuri – Koshali Language, A Profile’ ବହିର ସେ ହେଉଛନ୍ତି ସହ-ଲେଖକ। ଏହି ବହିଟିକୁ ପଶ୍ଚିମ ଓଡ଼ିଶାର ସମୃଦ୍ଧ ଭାଷାର ବ୍ୟାକରଣ, ବାକ୍ୟାଂଶ ଏବଂ ବ୍ୟବହାର ନେଇ ଏକ ପ୍ରାମାଣିକ ସନ୍ଦର୍ଭ ଭାବରେ ବିବେଚନା କରାଯାଏ |

Image may contain: 2 people

ଢେଙ୍କାନାଳ ସ୍ଥିତ ଭାରତୀୟ ଜନସଞ୍ଚାର ସଂସ୍ଥାନ(ଆଇଆଇଏମସି)କୁ ଶ୍ରୀ ପାଢ଼ୀ ନିୟମିତ ପାଠ ପଢ଼ାଇବା ଲାଗି ଆସୁଥିଲେ। ୧୯୯୩ ମସିହାରେ ଆରମ୍ଭ ହେବା ଦିନଠାରୁ ସେ ଏହି ଅନୁଷ୍ଠାନ ସହିତ ଜଡିତ ଥିଲେ। ତାଙ୍କର ନିଆରା ଶୈଳୀର ପାଠପଢ଼ା, ଗୁରୁ ଗାମ୍ଭୀର୍ଯ୍ୟ ସ୍ବରକୁ ପ୍ରତି ଛାତ୍ରଛାତ୍ରୀ ଆଜି ମନେ ପକାଉଛନ୍ତି। ପରିବାରରେ ପତ୍ନୀ ବାସନ୍ତୀ ମହାନ୍ତି, ପୁଅ ବିଶ୍ୱରୂପ ପାଢ଼ୀ ଏବଂ ଝିଅ ନେହା ପାଢ଼ୀଙ୍କୁ ସେ ଛାଡ଼ିଯାଇଛନ୍ତି।