ତାତିରୁ ମିଳବି ତ୍ରାହି : ବିଭିନ୍ନ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା
ମୌସୁମୀକୁ ଅନାଇ ରହିଥିବା ଚାଷୀଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି…
ଭୁବନେଶ୍ୱର : ଶେଷରେ ଦୀର୍ଘ ପ୍ରତୀକ୍ଷାର ଅବସାନ ଘଟିଛି । ହେଇ ଆସିବ, ପୁଣି ଆସିବନି ଏପରି ଆଶଙ୍କା ଭିତରେ ଗୁରୁବାର ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁଛି । ଏନେଇ ଭାରତୀୟ ପାଣିପାଗ ବିଭାଗ ଓ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ମୌସୁମୀକୁ ଅନାଇ ରହିଥିବା ଚାଷୀଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି । ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁବା ପରେ ଦୁର୍ବଳ ହୋଇଯାଇଥିଲା । ତେଣୁ ଏହା କେବେ ଓଡ଼ିଶା ଉପକୂଳ ଛୁଇଁବ ତାକୁ ନେଇ ଆଶଙ୍କା ମଧ୍ୟ ସୃଷ୍ଟି ହୋଇଥିଲା । ମୌସୁମୀ ପ୍ରବେଶ ନେଇ ଭିନ୍ନ ଭିନ୍ନ ପାଣିପାଗ ସଂସ୍ଥା ଭିନ୍ନ ଭିନ୍ନ ମତପୋଷଣ କରୁଥିବାରୁ ଜନସାଧାରଣ ସନ୍ଦେହ ଘେରରେ ରହିଥିଲେ ।
ତେବେ ଏସବୁ ଭିତରେ ମୌସୁମୀ ବାୟୁ ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନାଗିରି ଓ କୋରାପୁଟ ଜିଲ୍ଳାକୁ ଛୁଇଁଥିବା ସୂଚନା ଦିଆଯାଇଛି । କୋରାପୁଟରେ ୩ ସେ.ମି. ବର୍ଷା ହୋଇଥିବା ରେକର୍ଡ କରାଯାଇଛି । କ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ୫୦%ରୁ ଅଧିକ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।