ସିଲ୍‌କ ସିଟିରେ ବୁଲା କୁକୁରଙ୍କ ଆତଙ୍କ: ସହର ସାରା ଲୋକଙ୍କ ନିଦ ହଜେଇଲାଣି

ପଦକ୍ଷେପ ନେବାକୁ ବିଇଏମସିକୁ ଚିଠି ଲେଖିଲେ ବ୍ରହ୍ମପୁର ଏସପି

ବ୍ରହ୍ମପୁର ସହରରେ କୁକୁରଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବଢିବାରେ ଲାଗିଛି । ସେ ସକାଳ ସମୟ ହେଉ ଅବା ରାତି କୁକୁରଙ୍କ ହାବୁଡ଼ରୁ ମୁକୁଳିବା ଏକ ପ୍ରକାରର କଷ୍ଟକର ହୋଇଗଲାଣି । ପ୍ରତିଦିନ ସହରରେ ଜଣେ କି ଦୁଇ ଜଣ କୁକୁର କାମୁଡ଼ାର ଶୀକାର ହେଉଛନ୍ତି ।

ବ୍ରହ୍ମପୁର ସହରରେ କୁକୁରଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବଢିବାରେ ଲାଗିଛି । ସେ ସକାଳ ସମୟ ହେଉ ଅବା ରାତି କୁକୁରଙ୍କ ହାବୁଡ଼ରୁ ମୁକୁଳିବା ଏକ ପ୍ରକାରର କଷ୍ଟକର ହୋଇଗଲାଣି । ପ୍ରତିଦିନ ସହରରେ ଜଣେ କି ଦୁଇ ଜଣ କୁକୁର କାମୁଡ଼ାର ଶୀକାର ହେଉଛନ୍ତି । ଯାହାକୁ ନେଇ ସହରବାସୀଙ୍କ ମଧ୍ୟରେ କୁକୁରକୁ ନେଇ ଭୟର ବାତାବରଣ ଦେଖିବାକୁ ମିଳିଛି । କେବଳ ସାଧାରଣ ଜନତା ନୁହେଁ ବରଂ ପୋଲିସ କର୍ମଚାରୀ ମାନେ ମଧ୍ୟ କୁକୁର ଲାଗି ନୟାନ୍ତ ହେଲେଣି । ସେପଟେ କୁକୁର ବନ୍ଧ୍ୟାକରଣ ଯୋଜନା କାମ କରୁନଥିବା ଅଭିଯୋଗ ହୋଇଛି।..

କୁକୁରକୁ ନେଇ ଏବେ ଚିନ୍ତାରେ ବ୍ରହ୍ମପୁର ପୋଲିସ । କୁକୁର ଥାନା ଠାରୁ ଆରମ୍ଭ କରି ଏସପିଙ୍କ କାର୍ଯ୍ୟାଳୟ ଓ କ୍ବାଟର ପରିସରରେ ମଧ୍ୟ ପ୍ରବେଶ କରି ଖେଳାଇଛନ୍ତି ଆତଙ୍କ । କୁକୁରର ଏଭଳି ଆତଙ୍କରାଜକୁ ନେଇ ତୁରନ୍ତ ପଦକ୍ଷେପ ନେବା ନିମନ୍ତେ ବିଇଏମସିକୁ ଚିଠି ଲେଖିଛନ୍ତି ବ୍ରହ୍ମପୁର ଏସପି । ବର୍ତ୍ତମାନ ଶୀତ ସମୟ ହେଉଥିବା ଯୋଗୁଁ ସହରର ବିଭିନ୍ନ ଛକ ଛକରେ ଦେଖିବାକୁ ମିଳିଛି ମାଳ ମାଳ କୁକୁର । ବର୍ତ୍ତମାନ କୁକୁର ମାନଙ୍କର ବଂଶବୃଦ୍ଧି ହେବାର ସମୟ ତେଣୁ ଅଧିକ ହିଂସ୍ର ହୋଇ ଉଠିଛନ୍ତି । ରାସ୍ତାରେ ଯଦି ବାଇକ ସ୍ପିଡରେ ଯାଉଛି ବା କେହି ଲୋକ ଏକୁଟିଆ ଯାଆନ୍ତି ତାକୁ ଗୋଡ଼ାଇ ଗୋଡ଼ାଇ କାମୁଡିଛନ୍ତି । କୁକୁରଙ୍କ ଏଭଳି ଆତଙ୍କକୁ ନେଇ ଏବେ ସହରର ବୁଲିବା ଏକ ପ୍ରକାରର ଭୟ ଲାଗୁଥିବା କହିଛନ୍ତି ସହରବାସୀ । ସେପଟେ କୁକୁର ବନ୍ଧ୍ୟାକରଣ ଯୋଜନା ତୁରନ୍ତ କାର୍ଯ୍ୟକ୍ଷମ କରାଯାଉ ବୋଲି ଦାବି ହୋଇଛି …

ସେପଟେ ଗତ କିଛି ମାସ ପୂର୍ବରୁ ବ୍ରହ୍ମପୁର ଗାନ୍ଧିନଗର ଅଞ୍ଚଳରେ ଦୁଇ ମହିଳା ଓ ଜଣେ ଶିଶୁ ନିଜ ଘରକୁ ଯାଉଥିବା ବେଳେ ତାଙ୍କୁ ମଧ୍ୟ କୁକୁର ଗୋଡାଇଥିଲା। ଯାହାଫଳରେ ସେମାନେ ମଧ୍ୟ ଦୁର୍ଘଟଣା ଗ୍ରସ୍ତ ହେବାର ସିସିଟିଭି କ୍ୟାମେରାରେ ଚିତ୍ର କଏଦ ହୋଇଥିଲା । ସହରର ଯେଉଁ ସ୍ଥାନରେ କୁକୁରଙ୍କ ଏଭଳି ଉପଦ୍ରବ ହେଉଛି ସେଠାକୁ ବିଏସି ଟିମ ଯାଇ କୁକୁରଙ୍କୁ କାବୁ କରୁଛି । କିନ୍ତୁ ପରବର୍ତ୍ତୀ ସମୟରେ ପଶୁ ସୁରକ୍ଷା ପାଇଁ କାମ କରୁଥିବା ମେନକା ଗାନ୍ଧୀ ଫୋନ କରି ଏନେଇ ପଦକ୍ଷେପ ନ ନେବା ପାଇଁ କହିବା ପରେ କୁକୁରକୁ ସେଭଳି ଛାଡ଼ି ଦିଆଯାଇଥାଏ । ଅନ୍ୟପଟେ କୁକୁର ବନ୍ଧ୍ୟାକରଣ ଯୋଜନାକୁ କାର୍ଯ୍ୟକ୍ଷମ କରିବା ନିମନ୍ତେ କିଛି କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । କିନ୍ତୁ ସେମାନେ ଠିକ ଭାବେ କାମ କରୁନାହାନ୍ତି । ତେଣୁ ଖୁବଶୀଘ୍ର ସମ୍ପୃକ୍ତ କର୍ମଚାରୀଙ୍କୁ ବାହାର କରାଯାଇ ନୂତନ କର୍ମଚାରୀ ନିଯୁକ୍ତି ଦିଆଯିବ ଓ ଏହି ଯୋଜନାକୁ ପୁନଃ କାର୍ଯ୍ୟକ୍ଷମ କରାଯିବ ବୋଲି କହିଛନ୍ତି ବ୍ରହ୍ମପୁର ମେୟର ।

ସହରବାସୀଙ୍କ ବାରମ୍ବାର ଦାବି ପରେ ଗତ ୨୦୨୧ ମସିହା ସେପ୍ଟେମ୍ବର ୧୪ ତାରିଖରେ ପ୍ରାଣୀ ଚିକିତ୍ସାଳୟ ପରିସରରେ ଆରମ୍ଭ ହୋଇଥିଲା କୁକୁର ବନ୍ଧ୍ୟାକରଣ ଯୋଜନା । ପ୍ରଥମ ଦିନରେ ୧୦ଟି କୁକୁରଙ୍କ ବନ୍ଧ୍ୟାକରଣ ହେବା ପରେ ଦ୍ବିତୀୟ ଦିନରେ ୫ଟି କୁକୁରଙ୍କ ବନ୍ଧ୍ୟାକରଣ ହୋଇଥିଲା । ଏହାପର ଠାରୁ କୁକୁର ବନ୍ଧ୍ୟାକରଣ ଯୋଜନା ବନ୍ଦ ହୋଇଥିବା ବେଳେ, କେବେ ଏହାକୁ ପୁଣି କାର୍ଯ୍ୟକ୍ଷମ କରାଯାଉଛି ଏବେ ତାହାକୁ ଅପେକ୍ଷା କରିଛନ୍ତି ସହରବାସୀ ।