ଗିରିଜା ବଳୀୟାରସିଂହଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ବିଶିଷ୍ଟ କବି ଗିରିଜା କୁମାର ବଳୀୟାରସିଂହ ……

ଭୁବନେଶ୍ୱର: ବିଶିଷ୍ଟ କବି ଗିରିଜା କୁମାର ବଳୀୟାରସିଂହ ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର। କବିତା ପୁସ୍ତକ ‘ପାଦପୂରଣ’ ପାଇଁ ୨୦୨୫ ମସିହା ନିମନ୍ତେ ସମ୍ମାନଜନକ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ଶ୍ରୀ ବଳିୟାରସିଂହ।

୨୪ ଭାଷାରେ ପୁରସ୍କାର ପାଇଁ ମନୋନୀତ ତାଲିକା ପ୍ରକାଶ ପାଇଛି। ଆସନ୍ତା ୩୧ରେ ନୂଆଦିଲ୍ଲୀରେ ସ୍ୱତନ୍ତ୍ର ଉତ୍ସବରେ ପୁରସ୍କାର ପ୍ରଦାନ କରାଯିବ। ଏ ଖବର ପ୍ରଚାର ହେବା ପରେ ସାହିତ୍ୟିକ ମହଲରେ ବେଶ ଆନନ୍ଦ ପ୍ରକାଶ ପାଇଛି। ଗିରିଜାଙ୍କ ପାଖକୁ ଛୁଟିଛି ଶୁଭେଛାର ସୁଅ।

ଶ୍ରୀ ବଳୀୟାରସିଂହ ରାଜ୍ୟର ଜଣେ ଆଗଧାଡିର ବେଶ ଜଣାଶୁଣା କବି। ଜଣେ ଶବ୍ଦଭେଦୀ କାବ୍ୟପୁରୁଷ ଭାବରେ ସେ ଓଡିଶାର ସାରସ୍ୱତ ଜଗତରେ ସୁପରିଚିତ। “ଭାରତବର୍ଷ’ କାବ୍ୟକୃତି ପାଇଁ ୨୦୦୬ ମସିହାରେ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ। ୧୯୭୬ରୁ ୨୦୨୪ ମସିହା ଯାଏଁ ପ୍ରାୟ ଅର୍ଦ୍ଧ ଶତାବ୍ଦୀର ଅବଧି ମଧ୍ୟରେ ସେ ଆମକୁ ଦେଇସାରିଛନ୍ତି ୧୫ଟି କାବ୍ୟକୃତି।

ଓଡିଆ ସନେଟ୍‌ ସାହିତ୍ୟରେ ସେ ଏକ ଅଭିନବ ଧାରାପ୍ରବାହର ପ୍ରବର୍ତକ। ତାଙ୍କର ବହୁ ରଚନା ପାଠକଙ୍କୁ ବିମୁଗ୍ଧ କରିଛି। ତାଙ୍କର ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।