ଭୁବନେଶ୍ୱର(ଏସ୍ ନ୍ୟୁଜ): ରାଜ୍ୟରେ ହୋମଗାର୍ଡଙ୍କ ଦୈନିକ ଭତ୍ତା ବାବଦରେ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ହୋମଗାର୍ଡଙ୍କ ଦୈନିକ ଭତ୍ତା ୫୩୩ ଟଙ୍କାକୁ ବୃଦ୍ଧି ସହ ପିଛିଲା ଭାବେ ଜାନୁଆରୀ ୨୦୨୦ରୁ ଲାଗୁ କରିବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।
ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ ଓ ଜଷ୍ଟିସ ଏକେ ମିଶ୍ରଙ୍କ ଖଣ୍ଡପୀଠ ଏନେଇ ରାୟ ଶୁଣାଇଛନ୍ତି। ଜଣିକିଆ ଖଣ୍ଡପୀଠଙ୍କ ରାୟରେ ଏହି ଡିଭିଜନ ବେଞ୍ଚ ଆଂଶିକ ପରିବର୍ତ୍ତନ କରିଛନ୍ତି। ପୂର୍ବରୁ ଅଗ୍ନିଶମ ଡିଜିଙ୍କ ସୁପାରିଶ ଆଧାରରେ ଦୈନିକ ୫୩୩ ଟଙ୍କା ଦେବାକୁ ଜଣିକିଆ ଖଣ୍ଡପୀଠ ଗତ ଫେବୃଆରୀ ୨୮ ତାରିଖରେ ରାୟ ପ୍ରକାଶ କରିଥିଲେ।
ପୂର୍ବରୁ ୨୦୧୬ରୁ ବର୍ଦ୍ଧିତ ଦେୟ ଲାଗୁ ପାଇଁ କୋର୍ଟ ରାୟ ଦେଇଥିଲେ। ଏହାକୁ ଚ୍ୟାଲେଞ୍ଜ କରି ରାଜ୍ୟ ସରକାର ରିଟ୍ ଅପିଲ ଫାଇଲ କରିଥିଲେ। ପରେ କୋର୍ଟ ନିଜ ରାୟକୁ ବଦଳାଇ ୨୦୧୬ ପରିବର୍ତ୍ତେ ୨୦୨୦ ଠାରୁ ବର୍ଦ୍ଧିତ ଭତ୍ତା ଲାଗୁ କରିବାକୁ ଜଣାଇଛନ୍ତି। ୩ ମାସ ଭିତରେ ବର୍ଦ୍ଧିତ ଦେୟ ପ୍ରକ୍ରିୟା ସାରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ନ୍ୟାୟାଳୟ।