ମୁଖ୍ୟମନ୍ତ୍ରୀ ମୋହନ ଙ୍କ ଶପଥ ପାଠର ଝଲକ

ଭୁବନେଶ୍ୱର,(ସାକ୍‌ସୀ ନ୍ୟୁଜ୍‌): ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମୋହନ ମାଝୀ । ରାଜ୍ୟପାଳ ରଘୁବର ଦାସ ତାଙ୍କୁ ଶପଥ ପାଠ କରାଇଛନ୍ତି । ମୋହନ ମାଝୀଙ୍କ ସହ ଉପମୁଖ୍ୟମନ୍ତ୍ରୀ ଭାବେ କେଭି ସିଂହଦେଓ ଓ ପ୍ରଭାତୀ ପରିଡ଼ା ୧୩ ଜଣ ମନ୍ତ୍ରୀ ମଧ୍ୟ ଆଜି ଶପଥ ନେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହ ମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ଉପସ୍ଥିତରେ ଶପଥ ନେଲେ ମୋହନ ମାଝୀ । ସେହିପରି ଏହି ଭବ୍ୟ ଶପଥ ଗ୍ରହଣ ସମାରୋହରେ ଯୋଗୀ ଆଦିତ୍ୟନାଥଙ୍କ ସହ ପ୍ରାୟ ୯ ରାଜ୍ୟର ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ ।

ମୁଖ୍ୟମନ୍ତ୍ରୀ ମୋହନ ମାଝଙ୍କ ସହ ଶପଥ ନେଲେ ଉପମୁଖ୍ୟମନ୍ତ୍ରୀଙ୍କ ଏବଂ ତାଙ୍କ ମନ୍ତ୍ରିମଣ୍ଡଳ । ୮ ଜଣ କ୍ୟାବିନେଟ୍‌ ଓ ୫ ଜଣ ରାଷ୍ଟ୍ରମନ୍ତ୍ରୀ ଶପଥ ନେଇଛନ୍ତି। କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ସୁରେଶ ପୂଜାରୀ, ରବି ନାରାୟଣ ନାଏକ, ନିତ୍ୟାନନ୍ଦ ଗଣ୍ଡ, କୃଷ୍ଣଚନ୍ଦ୍ର ପାତ୍ର, ପୃଥ୍ବୀରାଜ ହରିଚନ୍ଦନ, ମୁକେଶ ମହାଲିଙ୍ଗ, ବିଭୁତି ଜେନା, କୃଷ୍ଣଚନ୍ଦ୍ର ମହାପାତ୍ର । ସେହିପରି ରାଷ୍ଟ୍ରମନ୍ତ୍ରୀ ଭାବେ ୫ ଜଣ ଗଣେଶ ରାମସିଂ ଖୁଣ୍ଟିଆ, ସୂର୍ଯ୍ୟବଂଶୀ ସୂରଜ, ପ୍ରଦୀପ ବଳସାମନ୍ତ, ଗୋକୁଳାନନ୍ଦ ମଲ୍ଲିକ ଓ ସଂପଦ ସ୍ବାଇଁ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।

ଏହି ଭବ୍ୟ ଶପଥ ଗ୍ରହଣ ସମାରୋହରେ ବହୁ ମାନ୍ୟଗଣ୍ୟ ଅତିଥି ସାମିଲ ହୋଇଥିଲେ । ୨୦୨୪ ନିର୍ବାଚନରେ ପ୍ରଚଣ୍ଡ ଜନମତ ସହ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ହାସଲ କରିବା ପରେ ଏକାକୀ ସରକାର ଗଢୁଥିବା ବିଜେପିର ଏହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହୋଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କେନ୍ଦ୍ର ମନ୍ତ୍ରିମଣ୍ଡଳର ଅନେକ ସଦସ୍ୟ, ଏନଡିଏ ଓ ବିଜେପି ଶାସିତ ରାଜ୍ୟର କିଛି ମୁଖ୍ୟମନ୍ତ୍ରୀ, ରାଜ୍ୟ ଓ ରାଜ୍ୟ ବାହାରର ବହୁ ସାଧୁସନ୍ଥ ଏବଂ ରାଜନୀତି, କ୍ରୀଡ଼ା, ବ୍ୟବସାୟ ଓ ମନୋରଞ୍ଜନ ଆଦି କ୍ଷେତ୍ରରେ ପ୍ରତିଷ୍ଠିତ ଦେଶର କିଛି ବିଶିଷ୍ଟ ବ୍ୟକ୍ତି ମଧ୍ୟ ଶପଥ ଗ୍ରହଣ ଉତ୍ସବରେ ସାମିଲ ହୋଇଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ନିମନ୍ତ୍ରଣ ରକ୍ଷା କରି ଶପଥ ସମାରୋହରେ ସାମିଲ ହୋଇଥିଲେ। ତେବେ ପ୍ରାୟ ୩୦ ହଜାରରୁ ଅଧିକ ଲୋକ ଏହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହୋଇଥିଲେ ।