ଖସିଯିବେ ନବଦାସଙ୍କ ହତ୍ୟା ଅଭିଯୁକ୍ତ ଗୋପାଳ ଦାସ!
ଫଳରେ ନବଦାସଙ୍କ ହତ୍ୟା ଅଭିଯୁକ୍ତକୁ କିଛିବର୍ଷ ଜେଲଦଣ୍ଡ ମିଳିଯିବ….
ଭୁବନେଶ୍ୱର: ଝାରସୁଗୁଡ଼ା ଜେଲରୁ ଚୌଦ୍ୱାର ଜେଲକୁ ସ୍ଥାନାନ୍ତର କରାଯାଇଛି ପୂର୍ବତନ ମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟା ଅଭିଯୁକ୍ତ ଗୋପାଳ ଦାସ । ଚୌଦ୍ୱାର ଜେଲରେ ବିଚାରାଧୀନ କଏଦୀ ଭାବେ କିଛି ବର୍ଷ କାଟିବା ପରେ ଛାତିକୁ ଫୁଲାଇ ଜେଲରୁ ମୁକୁଳିବ ଗୋପାଳ ଦାସ । ଏକ ନୂଆ ଜୀବନ ଆରମ୍ଭ କରିବା ପାଇଁ ଏତିକିବେଳୁ ବାଟ ତିଆରି କରି ସାରିଲେଣି କ୍ରାଇମ୍ ବ୍ରାଂଚ୍ ବରିଷ୍ଠ ଅଧିକାରୀ ଅରୁଣ ବୋଥ୍ରା ।
ଗୋପାଳ ଦାସର ମାନସିକ ସ୍ଥିତି ଭଲ ନଥିଲାବେଳେ ନବଦାସଙ୍କ ଉପରକୁ ଗୁଳି ଚଳାଇଥିବା କ୍ରମେ ସ୍ପଷ୍ଟ ହେବାକୁ ଯାଉଛି । ମାନସିକ ସ୍ଥିତି ଭଲ ନଥିବାର ମାନେ ନୁହେଁ ଯେ ସେ ଜଣେ ମାନସିକ ରୋଗୀ । ଅତ୍ୟଧିକ କାମଚାପରେ ରହି ଅନିଦ୍ରା କାରଣରୁ ଗୋପାଳ ନିଦବଟିକା ଖାଇଥିବେ । ନିଦରୁ ଉଠି ନବଦାସଙ୍କ ବ୍ରଜରାଜନଗର ଗସ୍ତ କାର୍ଯ୍ୟକ୍ରମ ତଦାରଖ କରୁଥିଲେ ମଧ୍ୟ ମନେମନେ ପୂର୍ବତନ ମନ୍ତ୍ରୀଙ୍କ ଉପରେ ଗଭୀର ଅସନ୍ତୋଷ ପ୍ରକାଶ କରିଥିବେ ।
ଏକ ଦୁର୍ବଳ ମାନସିକତାର ଶିକାର ହୋଇ ଗୋପାଳ ବିଚରା ନବଦାସଙ୍କୁ ଗୁଳି ମାରିଛନ୍ତି । ତାଙ୍କୁ ମୃତ୍ୟୁଦଣ୍ଡ ନୁହେଁ ବରଂ କିଛିବର୍ଷ ଜେଲଦଣ୍ଡ ଯୁକ୍ତସଙ୍ଗତ ଦର୍ଶାଇ ସରକାରୀ ଓକିଲ ମାନ୍ୟବର କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିବେ । ଫଳରେ ନବଦାସଙ୍କ ହତ୍ୟା ଅଭିଯୁକ୍ତକୁ କିଛିବର୍ଷ ଜେଲଦଣ୍ଡ ମିଳିଯିବ ।
ତଳକୋର୍ଟଙ୍କ ରାୟକୁ ହାଇକୋର୍ଟ ଓ ପରେ ସୁପ୍ରିମକୋର୍ଟରେ ଚାଲେଞ୍ଜ କରିବା ଭିତରେ ଲୋକମାନେ ନବଦାସଙ୍କ ହତ୍ୟା ଘଟଣାକୁ ସଂପୂର୍ଣ୍ଣ ଭାବେ ଭୁଲିଯିବେ । ଅତଏବ ନବଦାସଙ୍କ ହତ୍ୟା ଷଡ଼ଯନ୍ତ୍ରକାରୀ ସହଜରେ ଖସିଯିବ । କ୍ରାଇମ୍ ବ୍ରାଂଚ୍ ଏଡିଜି ଅରୁଣ ବୋଥ୍ରାଙ୍କ ମଗଜକୁ ମାନିବାକୁ ପଡ଼ିବ । ବିଚକ୍ଷଣତାର ସହ ମାମଲାଟିକୁ ତାଳି ପକାଇ ମୁଖ୍ୟ ଷଡ଼ଯନ୍ତ୍ରକାରୀଙ୍କୁ ଖସାଇଦେଲେ ।