ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷାକର୍ମଚାରୀଙ୍କୁ ଦେଇଥିବା ପ୍ରତିଶ୍ରୁତି ରଖିଲେନି ସରକାର: ସମନ୍ୱୟ ସମିତି

ବର୍ତ୍ତମାନର ସରକାର ସାଧାରଣ ନିର୍ବାଚନ….

ଭୁବନେଶ୍ୱର: ବର୍ତ୍ତମାନର ସରକାର ସାଧାରଣ ନିର୍ବାଚନ ପୂର୍ବରୁ ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷାକର୍ମଚାରୀମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ରଖିପାରି ନାହାଁନ୍ତି ବୋଲି ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତିର ଆବାହକ ରଞ୍ଜନ କୁମାର ଦାଶ ଏକ ପ୍ରେସ୍ ଇସ୍ତାହାରରେ ଜଣାଇଛନ୍ତି ।

ସୂଚନାଥାଉକି, ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିରୋଧି ଦଳର ମୁଖ୍ୟ ସଚେତକ ତଥା ବର୍ତ୍ତମାନର ମାନ୍ୟବର ମୁଖ୍ୟମନ୍ତ୍ରୀ, ବର୍ତ୍ତମାନର ଗଣଶିକ୍ଷା ମନ୍ତ୍ରୀ ଏବଂ କେତେଜଣ ବିଧାୟକଙ୍କ ଉପସ୍ଥିତିରେ ପ୍ରାକ୍ତନ ସରକାରଙ୍କ ବିରୁଦ୍ଧରେ ଗାନ୍ଧିମାର୍ଗରେ ହୋଇଥିବା ବିଶାଳ ରାଲିକୁ ସମ୍ବୋଧନ କରି ଦୃଢ଼ ପ୍ରତିଶ୍ରୁତି ଦେଇଥିଲେ ଯେ ତାଙ୍କ ଦଳ କ୍ଷମତାକୁ ଆସିଲେ ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନଙ୍କର ପେନସନ୍ ଓ ଅନୁଦାନ ଦାବି ଅବିଳମ୍ବେ ପୂରଣ ହେବ ଏବଂ ଶିକ୍ଷକ ସମାଜକୁ ସମର୍ଥନ କରି ବିଧାନ ସଭାକୁ ଅଚଳ କରିବା ପାଇଁ ମଧ୍ୟ ପଦକ୍ଷେପ ନେଇଥିଲେ । ସେଥିପାଇଁ ଶିକ୍ଷକ ସମାଜ ତାଙ୍କ ଉପରେ ଆସ୍ଥା ଓ ବିଶ୍ୱାସ ରଖି ସରକାର ପରିବର୍ତ୍ତନ ପାଇଁ ସେମାନଙ୍କର ସମସ୍ତ ଶକ୍ତି, ବୁଦ୍ଧିବଳ ଖର୍ଚ୍ଚ କରିଥିଲେ । କିନ୍ତୁ ଦୁଃଖ ଓ ପରିତାପର ବିଷୟ ଇତିମଧ୍ୟରେ ରାଜ୍ୟ ସରକାରଙ୍କର କାର୍ଯ୍ୟକାଳ ୧ ବର୍ଷ ୬ ମାସ ବିତି ଯାଇଥିଲେ ମଧ୍ୟ ସରକାର କୌଣସି ଠୋସ୍ ପଦକ୍ଷେପ ଗ୍ରହଣ କରିନାହାଁନ୍ତି । ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ସହିତ ସରକାର ବହୁବାର ଆଲୋଚନା, ପର୍ଯ୍ୟାଲୋଚନା କରିବା ପରେ ସମସ୍ୟା ସମାଧାନ ନିମନ୍ତେ ବିଧାନସଭା କମିଟି, ରାଜନୈତିକ କମିଟି, ସଚିବସ୍ତରୀୟ କମିଟି ଆଦି ଗଠନ କରି ଶିକ୍ଷକମାନଙ୍କର ସମସ୍ୟାର ସମାଧାନ ପାଇଁ ଆଗଭର ହୋଇଥିବା ବେଳେ ବର୍ତ୍ତମାନ ଆଉ ଏକ କମିଟି କ’ଣ ପାଇଁ ଗଠିତ ହୋଇଛି ସେ ନେଇ ବୁଦ୍ଧିଜୀବୀ, ଶିକ୍ଷାବିତ୍, ରାଜନୈତିକ ନେତୃବୃନ୍ଦ ଓ ଜନସାଧାରଣଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

କମିଟି ଗଠନ ନାଁରେ କାଳକ୍ଷେପଣ ନୀତି ଅବଲମ୍ବନ କରି ସରକାରଙ୍କର ସମସ୍ୟା ସମାଧାନ କରିବା ପାଇଁ ଆନ୍ତରିକତା ନଥିବା ସ୍ପଷ୍ଟ ବାରିହୋଇ ପଡ଼ୁଛି ବୋଲି ସମନ୍ୱୟ ସମିତି ତରଫରୁ ଆଶଙ୍କା ପ୍ରକାଶ ପାଉଛି । ସରକାର ଯେଉଁ କମିଟି ଗଠନ କରିଛନ୍ତି ସେହି କମିଟି ୬ ମାସ ପରିବର୍ତ୍ତେ ୧ ମାସ ମଧ୍ୟରେ ତାର ରିପୋର୍ଟ ପ୍ରଦାନ କରିବାକୁ ସମନ୍ୱୟ ସମିତି ପକ୍ଷରୁ ଦୃଢ଼ ଦାବି କରାଯାଉଛି । ଏହି କମିଟିରେ ଶିକ୍ଷକ ନେତୃତ୍ୱମାନଙ୍କୁ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ପଦକ୍ଷେପ ନିଅନ୍ତୁ ଯାହା ଫଳରେ ସମସ୍ୟା ସମାଧାନର ବାଟ ଶୀଘ୍ର ଖୋଲିଯିବ ବୋଲି ସମନ୍ୱୟ ସମିତି ପକ୍ଷରୁ ମଧ୍ୟ ଦାବି ହୋଇଛି । ଯଦି ଏଥିରେ ପରିବର୍ତ୍ତନ ନଘଟେ ତେବେ ଶିକ୍ଷକ ମାନେ ନିଶ୍ଚିତ ଭାବେ ରାଜରାସ୍ତାକୁ ଓହ୍ଲାଇବେ ଓ ଆଗାମୀ ଦିନରେ ଯେଉଁ ଦୁର୍ବାର ଆନ୍ଦୋଳନ ଗଢ଼ି ଉଠିବ ସେଥିପାଇଁ ସରକାର ଦାୟୀ ରହିବେ ।

ସମସ୍ୟାମାନଙ୍କ ମଧ୍ୟରେ ସମସ୍ତ ଅନୁଦାନ ଯୋଗ୍ୟ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ତୁରନ୍ତ ଅନୁଦାନ ପ୍ରଦାନ କରିବା ସହିତ ଅବସର ନେଉଥିବା ଓ ନେଇଥିବା ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନଙ୍କୁ ପେନସନ୍, ଅବସରକାଳୀନ ସୁବିଧା, ଚାକିରି ସର୍ତ୍ତାବଳୀ ପ୍ରଦାନ, ଅବସର ବୟସ ସୀମା ୬୦ରୁ ୬୨ ବର୍ଷକୁ ବୃଦ୍ଧି, ଗ୍ରେଡ଼ ପେ’ରେ ଥିବା ଅସଙ୍ଗତି, ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ନୋସନାଲ୍ ଇନକ୍ରିମେଣ୍ଟ ପ୍ରଦାନ, ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ସରକାରୀକରଣ ଆଦି ଅନ୍ତର୍ଭୁକ୍ତ । ତେଣୁ ସରକାର ଆଉ ଟାଳଟୁଳ ନୀତି ଅବଲମ୍ବନ ନକରି ଯଥାଶୀଘ୍ର ସମସ୍ୟାର ସମାଧାନ କଲେ  ଓଡ଼ିଶାର ଶିକ୍ଷା, ଶିକ୍ଷକ ଓ ଶିକ୍ଷାର୍ଥୀଙ୍କ ଅବସ୍ଥା ସୁଧୁରିବା ସହିତ ବିଦ୍ୟାଳୟଗୁଡ଼ିକରେ ଉତ୍ତମ ଶୈକ୍ଷିକ ବାତାବରଣ ସୃଷ୍ଟି ହେବ ।

ମାନ୍ୟବର ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ବିଧାୟକଗଣ ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନଙ୍କୁ ଦେଇଥିବା ପ୍ରତିଶ୍ରୁତି କାର୍ଯ୍ୟକାରୀ କରିବା ପାଇଁ ଆଗଭର ହୁଅନ୍ତୁ ଓ ରାଜ୍ୟର ଶିକ୍ଷାବ୍ୟବସ୍ଥାର ସ୍ୱାସ୍ଥ୍ୟକୁ ସଜାଡ଼ିବା ପାଇଁ ଆନ୍ତରିକତା ପ୍ରକାଶ କରନ୍ତୁ ବୋଲି ସମନ୍ୱୟ ସମିତିର ଆବାହକ ରଞ୍ଜନ କୁମାର ଦାଶଙ୍କ ସମେତ ସଭାପତି ସୁକାନ୍ତ କୁମାର ବେହେରା, ଅକ୍ଷୟ କୁମାର ମିଶ୍ର, ବିକ୍ରମ କୁମାର ଦାସ, ପ୍ରମୋଦ କୁମାର ହୋତା, ହରେକୃଷ୍ଣ ପାଣିଗ୍ରାହୀ, ଅଜୟ କୁମାର ପତି, ଗରୁଡ଼ ଚନ୍ଦ୍ର ସାହୁ, ରଞ୍ଜନ କୁମାର ପଣ୍ଡା, ଏମ୍.ଏ.କାସିମ୍ ବେଗ୍, ପ୍ରଶାନ୍ତ କୁମାର ପତି, ସୁରେଶ ଚନ୍ଦ୍ର ଦାସ, ରାଜା ଓସିମ୍, ନୀଳମଣି ପୁରୋହିତ, ବ୍ରଜ କିଶୋର ବିଶ୍ୱାଳ, ଅଶୋକ କୁମାର ମହାପାତ୍ର, ଶଙ୍କର କୁମାର ସୁବୁଦ୍ଧି, ରାଜଲକ୍ଷ୍ମୀ ବେହେରା, ଜୟନ୍ତୀ ବଳ, ମାଣିକେଶ୍ୱର ସ୍ୱାଇଁ, ରମାକାନ୍ତ ମହାପାତ୍ର, ପ୍ରଦୀପ କୁମାର ମଙ୍ଗରାଜ, ନବକୁମାର ପଣ୍ଡା, ଗଦାଧର ଶତପଥି, ରମାକାନ୍ତ ଲେଙ୍କା ଏବଂ ମଧୁସୂଦନ ଦେ ପ୍ରମୁଖ ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି ।