ପାନ ଦୋକାନୀଙ୍କ ନାଁରେ ୧୦୦ କୋଟି ଜିଏସ୍‌ଟି ଠକେଇ ଅଭିଯୋଗ

ରାଉରକେଲା( ଏସ୍ ନ୍ୟୁଜ ): ପାନ ଦୋକାନୀଙ୍କ ନାଁରେ ଆସିଛି ୧୦୦ କୋଟି ୯ ଲକ୍ଷର ଜିଏସ୍‌ଟି ଠକେଇ ଅଭିଯୋଗ । ଚାଷୀ, ଡେଲିଭରି ବୟ, ମିସ୍ତ୍ରୀଙ୍କ ପରେ ଏଥର ଜିଏସ୍‌ଟି ଠକେଇର ମୋହରା ସାଜିଛନ୍ତି ପାନ ଦୋକାନୀ। ରାଉରକେଲାର କୋଏଲନଗରରେ ପାନ ଦୋକାନ କରିଥିବା କାର୍ତ୍ତିକ କମିଲାଙ୍କ ନିକଟକୁ ଏହି ଜିଏସ୍‌ଟି ଠକେଇ ଅଭିଯୋଗ ଆସିଛି ।

ତେବେ କାର୍ତ୍ତିକଙ୍କ ନାଁରେ ଲିଙ୍ଗରାଜ ଟ୍ରେଡର୍ସ ନାମକ ଏକ ଫେକ୍ କମ୍ପାନୀ କରାଯାଇ ଏହି ଠକେଇ ହୋଇଥିବା ସୂଚନା ମିଳିଛି। କମ୍ପାନୀ ବିଷୟରେ ଦୋକାନୀଜଣକ କିଛି ଜାଣି ନ ଥିବା ବେଳେ ଏତେ ଟଙ୍କାର ନୋଟିସ ଦେଖି ତାଙ୍କ ମାନସିକ ସ୍ଥିତି ବିଗିଡ଼ି ଯାଇଥିବା କହିଛନ୍ତି।

ଅଭିଯୋଗକୁ ନେଇ କାର୍ତ୍ତିକ କହିଛନ୍ତି, ମୁଁ ଏକ ପାନ ଓ ପରିବାର ଦୋକାନ କରି ପରିବାର ଚଳାଉଛି। କିଛି ଦିନ ପୂର୍ବେ ଜିଏସ୍‌ଟି ଅଧିକାରୀ ଆସି ପଚରାଉଚରା କରି ମୋ ନାଁରେ ୧୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଜିଏସ୍‌ଟି ଠକେଇ ହୋଇଥିବା ଜଣାଇଥିଲେ। ଏହାପରେ ପୁଣି ଗତକାଲି ଆସି ପଚରାଉଚରା କରିଥିଲେ। ମୁଁ କାହାକୁ କୌଣସି ଡକ୍ୟୁମେଣ୍ଟ ଦେଇ ନ ଥିବା ବେଳେ ଇଲେକ୍ଟ୍ରି ବିଲ୍‌କୁ ନେଇ କେହି ଏପରି କାରସାଦି କରିଥିବା ଅନୁମାନ କରୁଛି।