ଭୁବନେଶ୍ୱର( ଏସ୍ ନ୍ୟୁଜ ): ଏଣିକି କମିବ ସ୍କୁଲ ପିଲାଙ୍କ ବହି ବସ୍ତାନୀ ବୋଝ। ପିଲାଙ୍କ ବ୍ୟାଗ ଓଜନ କମାଇବା ପାଇଁ ସ୍କୁଲ ବ୍ୟାଗ୍ ନୀତି ଜାରି କରିଛନ୍ତି କେନ୍ଦ୍ର ସରକାର। ପିଲାଙ୍କ ଓଜନଠାରୁ ସ୍କୁଲ ବ୍ୟାଗର ଓଜନ ୧୦%ରୁ କମ୍ ରହିବ। ଅର୍ଥାତ୍ ଯଦି ଜଣେ ଛାତ୍ରଙ୍କ ଓଜନ ୩୦ କେଜି ହୋଇଥାଏ ତେବେ ସେ ୩ କେଜିର ବ୍ୟାଗ୍ ଆଣି ବିଦ୍ୟାଳୟକୁ ଆସିବେ।
ଅନ୍ୟପକ୍ଷରେ ଯଦି କୌଣସି ଛାତ୍ରଛାତ୍ରୀ ନିର୍ଦ୍ଧାରିତ ଓଜନଠାରୁ ଅଧିକ ଓଜନର ବ୍ୟାଗ୍ ଆଣି ବିଦ୍ୟାଳୟକୁ ଆସିଥିବେ ତେବେ ଏନେଇ ସ୍କୁଲ କର୍ତୃପକ୍ଷ ଅଭିଭାବକଙ୍କୁ ଜଣାଇବେ। ପ୍ରତି ୩ ମାସରେ ଥରେ ଗୋଟିଏ ଦିନ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କ ସ୍କୁଲ ବ୍ୟାଗର ଓଜନ ଯାଞ୍ଚ କରାଯିବ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି ସ୍କୁଲ ବ୍ୟାଗ୍ ନୀତି-୨୦୨୦ରେ ଉଲ୍ଲେଖ କରାଯାଇଛି। ଏହା ସହ ପ୍ରି-ପ୍ରାଇମେରି ପିଲାଙ୍କୁ ବ୍ୟାଗ୍ ମନା କରାଯାଇଛି ।
ଏହି ନିୟମ ଅନୁଯାସରେ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀର ଛାତ୍ରଛାତ୍ରୀ କ୍ଲାସ ୱାର୍କ ପାଇଁ ଗୋଟିଏ ନୋଟ ବୁକ୍ ବ୍ୟବହାର କରିବେ। ଦ୍ୱିତୀୟରୁ ପଞ୍ଚମ ଶ୍ରେଣୀ ପାଠ ପଢୁଥିବା ଛାତ୍ରଛାତ୍ରୀ ୨ଟି ନୋଟ୍ ବୁକ୍ ବ୍ୟବହାର କରିବେ। ଗୋଟିଏ ନୋଟ୍ ବୁକ୍ ସ୍କୁଲରେ ରହିବ। ଆଉ ଗୋଟିଏ ପିଲାଙ୍କ ବହି ବସ୍ତାନୀରେ ରହିବ। ଦ୍ୱିତୀୟ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ହୋମୱାର୍କ ଦିଆଯିବନି। ତୃତୀୟରୁ ପଞ୍ଚମ ଶ୍ରେଣୀ ପିଲାଙ୍କୁ ୨ ଘଣ୍ଟାର ହୋମ୍ ୱାର୍କ ଦିଆଯିବ। ଏନେଇ ଗତ ନଭେମ୍ବର ୨୪ରେ କେନ୍ଦ୍ର ସରକାର ସବୁ ରାଜ୍ୟକୁ ଚିଠି କରିଥିବା ବେଳେ ଆଗାମୀ ଶିକ୍ଷା ବର୍ଷରେ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।