ରାୟଗଡ଼ା: ଛାତିଥରା ଦୁର୍ଘଟଣାଟିଏ ଘଟିଯାଇଛି ରାୟଗଡ଼ା ଜିଲ୍ଲାର ସିଙ୍ଗାପୁର ରୋଡ୍ ଷ୍ଟେସନ ନିକଟରେ । ଚଳନ୍ତା ଟ୍ରେନରେ ଚଢ଼ିବାକୁ ଉଦ୍ୟମ କରୁଥିବା ସମୟରେ ଖସିପଡ଼ିଲେ ଜଣେ ମହିଳା ଓ ଚାରିବର୍ଷର କନ୍ୟା । ଦେଖଣାହାରୀମାନେ କିଛି ଭାବିବା ବେଳକୁ ଲୌହଦାନବଟି ମହିଳାଙ୍କର ଦୁଇଟି ହାତ ଓ ଗୋଟିଏ ଗୋଡ଼କୁ କାଟି ସାରିଥିଲା । ମହିଳାଙ୍କର ଅନ୍ୟ ଗୋଡ଼ଟି ଭାଙ୍ଗି ଯାଇଛି ।
ଛୋଟ କନ୍ୟାଟିର ଡାହାଣ ହାତ ଓ ଗୋଟିଏ ଗୋଡ଼ କଟି ଯାଇଛି । ପ୍ରାପ୍ତ ସୂଚନା ମୁତାବକ, ବାପା, ମା ଓ ଛୋଟଝିଅଟିକୁ ମିଶାଇ ଗୋଟିଏ ପରିବାର ସିଙ୍ଗାପୁର ରୋଡ୍ ଷ୍ଟେସନରୁ କଳାହାଣ୍ଡିର ଜୁନାଗଡ଼କୁ ଯିବା ମୁଡ୍ରେ ଥିଲେ । ଯଥା ସମୟରେ କୋର୍ବା ଏକ୍ସପ୍ରେସଟି ଷ୍ଟେସନରେ ଗୋଟିଏ ମିନିଟ୍ ପାଇଁ ଅଟକିଥିଲା ।
ସେହି ସମୟ ଭିତରେ କୁନିଝିଅଟିର ବାପା ଟ୍ରେନରେ ଚଢ଼ିଗଲେ । ଟ୍ରେନଟି ଚାଲିବା ଆରମ୍ଭ କରିବା ବେଳକୁ ଝିଅଟିକୁ ଧରି ତା’ ମା’ ଠିକ୍ ସମୟରେ ଚଢ଼ି ପାରିଲେନି । ଗୋଡ଼ ଖସିଗଲା । ଉଭୟ ମା’ ଓ କୁନିଝିଅଟି ତଳକୁ ଖସି ପଡ଼ିଲେ । ରେଳବାଇ ପୁଲିସ ଉଭୟଙ୍କୁ ଉଦ୍ଧାର କରି ରାୟଗଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ପହଂଚାଇଥିଲା ।