ଆହୁରି ୫ ଦିନ ଜାରି ରହିବ ଭୀଷଣ ଶୀତ-shaksi news

ଭୁବନେଶ୍ୱର( ଏସ୍ ନ୍ୟୁଜ ):ରାଜ୍ୟରେ ବଢୁଛି ଶୀତର ପ୍ରକୋପ। ଏଥିଯୋଗୁଁ ରାଜ୍ୟର ୫ ସହରରେ ଘନ କୁହୁଡ଼ି ଦେଖାଦେଇଥିବା ଜଣାପଡ଼ିଛି । ଆଗାମୀ ୫ ଦିନ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶାରେ ଭୀଷଣ ଶୀତ ଜାରି ରହିବା ସହ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ।

ସେହିପରି ଅନ୍ୟ ୪ଟି ସହରରେ ମଧ୍ୟ ଅଳ୍ପ କୁହୁଡ଼ି ଦେଖାଦେଇଥିଲା । ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ୮.୫ ଡିଗ୍ରୀ ସେଲସିୟସ ତାପମାତ୍ରା ସହ ଫୁଲବାଣୀ ରାଜ୍ୟର ସବୁଠୁ ଥଣ୍ଡା ସହର ଭାବେ ପରିଗଣିତ ହୋଇଛି । ରାଜ୍ୟର ୪ଟି ସହରର ତାପମାତ୍ରା ୧୨ ଡିଗ୍ରୀ ସେଲସିୟସ ତଳେ ରହିଥିବା ଜଣାଯାଇଛି । ସୋନପୁର ୮.୮, ଅନୁଗୁଳ ୧୦.୬, ଭବାନିପାଟଣା ୧୧.୬, କଟକ ୧୬.୪, ଭୁବଶ୍ୱେର ୧୭.୬ ଡିଗ୍ରୀ ସେଲସିୟସ ରହିଥିବା ଜଣାଯାଇଛି । ଚାନ୍ଦବାଲି ଓ ରାୟଗଡ଼ାରେ ଅତି ଘନ କୁହୁଡ଼ି ପରିଲକ୍ଷିତ ହୋଇଥିବା ବେଳେ ୪୦ ମିଟର ପର୍ଯ୍ୟନ୍ତ ଦୃଶ୍ୟମାନ ହେଉଥିଲା । ସେହିପରି ଜଗତସିଂହପୁରର ପାରାଦୀପରେ ୫୦ ମିଟର, ସୋନପୁର ଓ ବୌଦ୍ଧରେ ୧୦୦ ମିଟର ପର୍ଯ୍ୟନ୍ତ ଦୃଶ୍ୟମାନ ହେଉଥିବା ଜଣାପଡ଼ିଛି । କଟକ, ଭୁବନେଶ୍ୱର, କୋରାପୁଟ ଓ ନୟାଗଡ଼ରେ କୁହୁଡ଼ି ସାମାନ୍ୟ ହାଲୁକା ପରିଲକ୍ଷିତ ହୋଇଥିଲା ।

ସେହିପରି ଅନୁଗୁଳ, ଢେଙ୍କାନାଳ, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ସୋନପୁର ଭଳି ଜିଲ୍ଲାର କିଛି ସ୍ଥାନରେ ମଧ୍ୟମ ଧରଣର କୁହୁଡି ହେବା ସମ୍ଭାବନା ରହିଛି। ଏହି ସମୟରେ ଦୃଶ୍ୟମାନ ମଧ୍ୟ କମ୍ ରହିପାରେ। କିଛି ସ୍ଥାନରେ ପାରଦ ନିମ୍ନଗାମୀ ହୋଇଛି । ସେପଟେ ୮ଟି ଜିଲ୍ଲା ପାଇଁ ଆଜି ସକାଳ ୮ଟା ୩୦ ଯାଏ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ସେହି ଜିଲ୍ଲାଗୁଡ଼ିକ ହେଲା ଭଦ୍ରକ, ଯାଜପୁର, କନ୍ଧମାଳ, ଜଗତସିଂହପୁର, କଟକ, ପୁରୀ, ଅନୁଗୁଳ ଏବଂ ଢେଙ୍କାନାଳ ।