ଦାନା ବାନ୍ଧୁଛି ଲଘୁଚାପ:୬ ଓ ୭ ତାରିଖ ରେ ପ୍ରବଳ ବର୍ଷା

ଭୁବନେଶ୍ୱର,(ଏସ୍ ନ୍ୟୁଜ୍): ଉତ୍ତର-ପୂର୍ବ ବଙ୍ଗୋପସାଗର ରେ ଏକ ଘୂର୍ଣ୍ଣିବଳୟ ଦାନା ବାନ୍ଧିଛି। ଏହାର ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଫଳରେ ରାଜ୍ୟରେ ୬ ଓ ୭ ତାରିଖ ଆଡ଼କୁ ବିସ୍ତାରିତ ଭାବେ ବର୍ଷା ହେବାର ସମ୍ଭାବନା ରହିଛି। ସାରା ରାଜ୍ୟରେ ବର୍ଷାର ବିସ୍ତୃତି ଓ ପରିମାଣ ଅଧିକ ରହିବ। କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ଓ କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ରହିଛି।ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ୬ ତାରିଖ ଦିନ ଲଘୁଚାପ ଯୋଗୁଁ ସାରା ରାଜ୍ୟରେ ବର୍ଷା ଜାରି ରହିବ। ବିଶେଷ କରି କୋରାପୁଟ, ଗଜପତି, ପୁରୀ, ଖୋର୍ଧା, ଗଞ୍ଜାମ, ନୟାଗଡ଼, କନ୍ଧମାଳ ଓ କଳାହାଣ୍ଡି ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ।