ସାନ୍ତାଳୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଛେଦରେ ଅନ୍ତର୍ଭୁକ୍ତ କରିବା ପାଇଁ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଅବଦାନ ଅତୁଳନୀୟ
KG ରୁ PG ପର୍ଯ୍ୟନ୍ତ ସାନ୍ତାଳୀ ଭାଷାରେ ଶିକ୍ଷା ପ୍ରଦାନ ନିମନ୍ତେ ସରକାର ଚିନ୍ତା କରୁଛନ୍ତି । ଆଜି କେଉଁଝର’ର ଅଶୋକ ବାଟିକା ଠାରେ ସର୍ବଭାରତୀୟ ସାନ୍ତାଳୀ ଲେଖକ ସଂଘ ଓଡିଶା ଶାଖାର ସପ୍ତମ ବାର୍ଷିକ ସମ୍ମିଳନୀ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୧୯୨୫ ମସିହାରେ ଅଲ୍ଚିକି ଲିପିର ସୃଷ୍ଟି ହୋଇଥିଲା । ଅଲ୍ଚିକି ଲିପିର ସ୍ରଷ୍ଟା ଗୁରୁ ଗମ୍କେ ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ଏହି ଅବସରରେ ସ୍ମରଣ କରିବା ସଙ୍ଗେସଙ୍ଗେ ୨୦୨୫ରେ ଏହି ଲିପି ସୃଷ୍ଟି ହେବାର ଶତ ବାର୍ଷିକୀକୁ ଏକ ମିଶନ ଭାବରେ ନେଇ “Mission Ol-Chiki ୨୦୨୫” କୁ ସଫଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ । ୨୦୨୫ ସୁଦ୍ଧା ଯଦି ସମସ୍ତେ ଅଲ୍ଚିକି ଲିପି ତଥା ସାନ୍ତାଳୀ ଭାଷାରେ ଶିକ୍ଷା ଗ୍ରହଣ କରିପାରିଲେ ତେବେ, ପଣ୍ଡିତ ମୁର୍ମୁଙ୍କ ପ୍ରତି ଏହା ପ୍ରକୃତ ଶ୍ରଦ୍ଧାଞ୍ଜଳି ହୋଇପାରିବ ବୋଲି ସେ କହିଥିଲେ । ଏହି କ୍ରମରେ ଓଡିଶାରେ ସାନ୍ତାଳୀ ଭାଷାରେ ପ୍ରାଥମିକ ସ୍ତରରୁ ବିଶ୍ବବିଦ୍ୟାଳୟ ପର୍ଯ୍ୟନ୍ତ ଶିକ୍ଷାର ପ୍ରଚଳନ ପାଇଁ ସରକାର ଚିନ୍ତା କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗୋଟେ ଜାତିର ଉନ୍ନତି ତଥା ପରିଚୟ ପାଇଁ ମାତୃଭାଷା ହିଁ ସର୍ବଶ୍ରେଷ୍ଠ ଅଟେ । ସାନ୍ତାଳୀ ଭାଷା ୨୦୦୩ ମସିହାରେ ତତ୍କାଳୀନ କେନ୍ଦ୍ର ସରକାର ତଥା ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଅବଦାନ ଯୋଗୁଁ ଭାରତର ସମ୍ବିଧାନର ଅଷ୍ଟମ ଅନୁଛେଦରେ ସ୍ଥାନୀତ ହୋଇ ଆମର ଗୌରବ ବୃଦ୍ଧି କରିଛି । ତେଣୁ, ତାଙ୍କୁ ମୁଖ୍ୟମନ୍ତ୍ରୀ କୃତଜ୍ଞତା ଜଣାଇଥିଲେ ।
ସାନ୍ତାଳୀ ଲେଖକ ମାନେ ନିଜର ଲେଖନୀ ବଳରେ ଜାତିର ଭାଷା, ସଂସ୍କୃତି, ପରମ୍ପରା ଓ ଶିକ୍ଷାର ବହୁଳ ପ୍ରଚାର ପ୍ରସାର ପାଇଁ ନିସ୍ବାର୍ଥପର ଓ ଉତ୍ସର୍ଗୀକୃତ ମନୋଭାବ ନେଇ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ ।