ନୂଆଦିଲ୍ଲୀ: ‘ସଭିଙ୍କୁ କ୍ଷମା କରିଦିଅ, ସବୁରି ନିକଟରୁ କ୍ଷମା ମାଗିନେଇ ଚିରନିଦ୍ରା ଗ୍ରହଣ କର।’ ସର୍ବସ୍ୱ ହରାଇଲେ, ଶେଷରେ ପୁଅର ମୃତ୍ୟୁ ମାଗିଲେ। ୧୩ ବର୍ଷ ଧରି କୋମାରେ ରହିଥିବା ପୁଅ ପାଇଁ ବିକ୍ରି ହୋଇଗଲା ପୈତୃକ ସମ୍ପତି ଓ ଘର। ହରିଶ ରାଣାଙ୍କ ପରିବାରର ଏହି ସଂଘର୍ଷ ଆଜି ସମସ୍ତଙ୍କୁ ଚକିତ କରିଛି।
ଜୀବନ କାହାକୁ କେତେବେଳେ କୋଉ ମୋଡ଼ରେ ଛିଡା କରିଦେବ, ତାହା କେହି କହିପାରିବେ ନାହିଁ। ବିଗତ ୧୩ ବର୍ଷ ହରିଶଙ୍କ ପରିବାର ପାଇଁ କାଳରାତ୍ରି ସଦୃଶ ଥିଲା। ଯେଉଁ ପୁଅ ବାପା ମାଆଙ୍କ ବୃଦ୍ଧାବସ୍ଥାର ସାହାରା ହୋଇଥାନ୍ତା , ସେହି ପୁଅର ଜୀବନ ବଂଚାଇବା ପାଇଁ ପରିବାର ନିଜର ସବୁ କିଛି ବାଜିରେ ଲଗାଇ ଦେଇଥିଲେ। ପୁଅର ଚିକିତ୍ସାରେ ସବୁ ପଇସା ସରିଗଲା। କିନ୍ତୁ ପୁଅର ସ୍ୱାସ୍ଥ୍ୟରେ ସେଭଳି କିଛି ସୁଧାର ଆସିଲାନି। ପୁଅର ଅସହ୍ୟ ଶାରୀରିକ କଷ୍ଟକୁ ଦେଖି ନପାରି ବିଚରା ମା’ବାପା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଇଚ୍ଛାମୃତ୍ୟୁ କାମନା କରିଥିଲେ।
ବହୁ ବିଚାର ବିମର୍ଶ କରି ମାନ୍ୟବର ସୁପ୍ରିମକୋର୍ଟ ଇଚ୍ଛାମୃତ୍ୟୁକୁ ସୁପାରିଶ କରିଥିଲେ।ଉତର ପ୍ରଦେଶର ଗାଜିଆବାଦର ରାଜନଗରସ୍ଥିତ ଘରେ ୧୩ ବର୍ଷ ଧରି ମୃତ୍ୟୁମୁଖରେ ପଡ଼ିଥିବା ହରିଶ ରାଣାଙ୍କୁ ଏମ୍ସରେ ଭର୍ତି କରାଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ନିଷ୍କ୍ରିୟ ଇଚ୍ଛାମୃତ୍ୟୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଜୀବନ ସହାୟକ ପ୍ରଣାଳୀକୁ ଧୀରେ ଧୀରେ ଅପସାରଣ କରାଯାଉଛି।
ଏହି ସମୟରେ, ଗାଜିଆବାଦ ଘରୁ ହରିଶ ରାଣାଙ୍କ ଶେଷ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ଭାଇରାଲ ଭିଡିଓରେ ଜଣେ ମହିଳା ହରିଶ ରାଣାଙ୍କୁ ଶେଷ ବିଦାୟ ଦେଉଥିବାର ଦେଖାଯାଉଛି। ଏହି ମହିଳାମାନେ ବ୍ରହ୍ମକୁମାରୀ ଭଉଣୀ ଥିଲେ। ହରିଶଙ୍କୁ ଏମ୍ସ ନିଆଯିବା ପୂର୍ବରୁ, ବ୍ରହ୍ମ କୁମାରୀ ଭଉଣୀମାନେ ଅଶୋକ ରାଣାଙ୍କ ଘରକୁ ଯାଇଥିଲେ। ଏବଂ ତା’ପରେ ହରିଶଙ୍କ ଘରେ ରାଜଯୋଗ କରିଥିଲେ। ଏହାପରେ ତାଙ୍କୁ ଶେଷ ବିଦାୟ ଦିଆଯାଇଥିଲା। ଏହି ଭିଡିଓଟି ଗଭୀର ଭାବପ୍ରବଣ। ଜଣେ ବ୍ରହ୍ମ କୁମାରୀ ତାଙ୍କ ମୁଣ୍ଡରେ ଚନ୍ଦନ ତିଳକ ଲଗାଇ କହିଥିଲେ ‘ସମସ୍ତଙ୍କୁ କ୍ଷମା କର, ସମସ୍ତଙ୍କୁ କ୍ଷମା ମାଗ ଏବଂ ଯାଅ।’ ହରିଶଙ୍କ କାହାଣୀ ଗୋଟିଏ ପରିବାରକୁ ନିଜ ପୁଅକୁ ବିଦାୟ ଦେବା ପାଇଁ ନେବାକୁ ପଡିଥିବା ଯନ୍ତ୍ରଣା , ସଂଘର୍ଷ ଏବଂ କଷ୍ଟକର ନିଷ୍ପତିର ଏକ ଭାବବିହ୍ୱଳ କାହାଣୀ।