ଆଜି ପବିତ୍ର ମହାଳୟା ଶ୍ରାଦ୍ଧ

ଭୁବନେଶ୍ୱର: ଆଜି ମହାଳୟା । ପବିତ୍ର ମହାଳୟା ଶ୍ରାଦ୍ଧ ପାଇଁ ଆଜି ଶହଶହ ଶ୍ରଦ୍ଧାଳୁ ପିତୃ ପୁରୁଷ ଓ ମାମୁଁ ଘର ତିନି ପୁରୁଷଙ୍କୁ ପିଣ୍ଡଦାନ କରିଥିଲେ। ପିଣ୍ଡଦାନ କଲେ ପରଲୋକଗତ ଆତ୍ମାର ସଦ୍‍ଗତି ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି। ଏହି ପରିପ୍ରେକ୍ଷୀରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଶ୍ରଦ୍ଧାଳୁମାନେ ଶ୍ରାଦ୍ଧ ଅର୍ପଣ କରିଥିଲେ । ଆଶ୍ୱିନ ମାସର ଅମାବାସ୍ୟା ‘ମହାଳୟା’ ଅମାବାସ୍ୟା ଭାବରେ ପରିଚିତ ଓ ପ୍ରସିଦ୍ଧ। ଏହି ଅମାବାସ୍ୟାର ନାମ କାହିଁକି ‘ମହାଳୟା’, ତାହାର ଅନେକ ତାତ୍ପର୍ଯ୍ୟ ରହିଛି । ‘ମହତାଂ ଆଳୟଃ ମହାଳୟଃ’। ଅର୍ଥାତ୍ ମହାନ ପୁରୁଷମାନଙ୍କର ଆଳୟ ହେଉଛି ମହାଳୟ । ଏହି ପୁରୁଷମାନେ ହେଉଛନ୍ତି ଆମ କୁଳର ମହାନ ପୂର୍ବଜମାନେ । ସ୍ୱର୍ଗରେ ସେମାନେ ଯେଉଁ ପିତୃଲୋକରେ ଅବସ୍ଥାନ କରନ୍ତି ତାହା ‘ମହାଳୟା’ । ଆଶ୍ୱିନ ମାସର କୃଷ୍ଣପକ୍ଷ ଏହି ପିତୃପୁରୁଷମାନଙ୍କର ଶ୍ରାଦ୍ଧ ଓ ତର୍ପଣ ପାଇଁ ପ୍ରଶସ୍ତ। ବିଶେଷ କରି ଅମାବାସ୍ୟା ଦିନ ‘ମହାଳୟ’ ନିବାସୀ ସେହି ପିତୃପୁରୁଷଙ୍କୁ ଶ୍ରାଦ୍ଧ ଓ ତର୍ପଣ କରାଯାଉଥିବାରୁ, ଏହାର ନାମ ‘ମହାଳୟା ’।