ସହରାଞ୍ଚଳରେ ‘ସମସ୍ତଙ୍କ ପାଇଁ ଘର’ କାର୍ଯ୍ୟକ୍ରମ ଅନ୍ତର୍ଗତ ୧୨ ଏକର ଜମିରେ ନିର୍ମିତ ଚନ୍ଦ୍ରଶେଖରପୁର ବୁଦ୍ଧବିହାର ପ୍ରକଳ୍ପଟି ୫ ମହଲା ବିଶିଷ୍ଟ । ଏଥିରେ ୮୨୦ଟି ଘର ସମ୍ପୂର୍ଣ୍ଣ ହୋଇ ହିତାଧିକାରୀମାନଙ୍କୁ ପ୍ରଦାନ କରାଯାଉଛି। ଆର୍ଥିକ ଅନଗ୍ରସର ବର୍ଗର ଲୋକଙ୍କ ପାଇଁ ସମୁଦାୟ ୨୬୦୦ଟି ଘର ନିର୍ମାଣର ଲକ୍ଷ୍ୟ ରହିଛି। ଏଥିସହ ସୁବୁଦ୍ଧିପୁରରେ ସୁଲଭ ବାସଗୃହ ପ୍ରକଳ୍ପରେ ୩୪୨ଟି ଘର ନିର୍ମାଣ କରାଯାଇ ହିତାଧିକାରୀଙ୍କୁ ଆବଣ୍ଟନ କରାଯାଇଛି। ଏହି ସମସ୍ତ ପ୍ରକଳ୍ପଗୁଡ଼ିକ ୫ ମହଲା ବିଶିଷ୍ଟ।
ସେହପରି ସତ୍ୟନଗର ଶାନ୍ତିପାଲିଠାରେ ବସ୍ତି ପୁନଃଉନ୍ନୟନ ଯୋଜନାରେ ସମୁଦାୟ ୧୩୦୦ଟି ଘର ନିର୍ମାଣ କରାଯାଉଛି। ଭୁବନେଶ୍ବର ଟାଉନ ସେଣ୍ଟର ଡିଷ୍ଟ୍ରିକ୍ଟ (BTCD) ଅଞ୍ଚଳରେ ଥିବା ବସ୍ତି ଅଞ୍ଚଳଗୁଡ଼ିକର ରୂପାନ୍ତର ଲକ୍ଷ୍ୟରେ ଏହା ହେଉଛି ପ୍ରଥମ ପ୍ରକଳ୍ପ। ଏଥିରେ ୫୬୦ଟି ଘର ନିର୍ମାଣ କରାଯାଇ ହିତାଧିକାରୀଙ୍କୁ ଆବଣ୍ଟନ କରାଯାଇଛି।
ଭୁବନେଶ୍ୱରର ବସ୍ତିବାସିନ୍ଦା ଓ ଗରିବ ଲୋକଙ୍କୁ ମିଳିଛି ରହିବା ପାଇଁ ଘର। ସୁନିଶ୍ଚିତ ହୋଇଛି ସୁରକ୍ଷିତ ଆଶ୍ରୟ ଏବଂ ସମ୍ମାନର ସହ ବଞ୍ଚିବାର ଅଧିକାର। ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରେ ବସ୍ତିବାସିନ୍ଦାଙ୍କ ପାଇଁ ୩ଟି ସୁଲଭ ବାସଗୃହ ପ୍ରକଳ୍ପ ଲୋକାର୍ପିତ କରି ହିତାଧିକାରୀମାନଙ୍କୁ ନୂଆ ଘରର ଚାବି ହସ୍ତାନ୍ତର କରିଛନ୍ତି। ଏହାଦ୍ବାରା ୧୭୨୨ ଜଣ ହିତାଧିକାରୀ ଘର ପାଇଛନ୍ତି।

ଏହି ସବୁ ପ୍ରକଳ୍ପ ପାଇଁ ପାନୀୟ ଜଳଯୋଗାଣ, ଡ୍ରେନେଜ୍ ବ୍ୟବସ୍ଥା, ସ୍ୱେରେଜ୍ ବ୍ୟବସ୍ଥା, ରାସ୍ତା ଆଲୋକୀକରଣ, ଦୋକାନ ଘର ସହ ପାଠାଗାର, ରିଡିଙ୍ଗ ରୁମ୍, ଡିସ୍ପେନ୍ସରି ଆଦି ଅନେକ ସୁବିଧାର ବ୍ୟବସ୍ଥା କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସହରର ବିକାଶରେ ବସ୍ତିଲୋକଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଗରିବ ଲୋକମାନଙ୍କୁ ନୂଆ ଓ ଭଲ ଘର ମିଳିବା ଖୁସିର ବିଷୟ।