ଲୋକସେବା ଭବନ ଠାରେ ଗୃହ ଓ ନଗର ଉନ୍ନୟନ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଛନ୍ତି ମୁଖ୍ୟମନ୍ତ୍ରୀ।
ଏହି ବୈଠକରେ ଭୁବନେଶ୍ୱର, କଟକ, ପୁରୀ ଓ ପାରାଦୀପକୁ ନେଇ ପ୍ରସ୍ତାବିତ ଅର୍ଥନୈତିକ ରିଜିଅନ୍ ଗ୍ରେଟର ଭୁବନେଶ୍ୱର ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ୨୦୩୬ ବିକଶିତ ଓଡ଼ିଶା ଗଠନ ପାଇଁ ଉଭୟ ସହରୀକରଣ ଓ ଅର୍ଥନୈତିକ ଦୃଷ୍ଟିକୋଣରୁ ଏହାର ଆବଶ୍ୟକତା ରହିଛି । ସମୁଦାୟ ୮୫୦୦ ବର୍ଗ କିଲୋମିଟର ଅଞ୍ଚଳକୁ ସମାବେଶୀ, ବାସପଯୋଗୀ ଏବଂ ଦୀର୍ଘସ୍ଥାୟୀ ଅର୍ଥନୈତିକ ରିଜିଅନ ଭାବେ ବିକଶିତ କରିବା ପାଇଁ ଯୋଜନା ରହିଛି । ଆଗାମୀ ୫୦ ବର୍ଷକୁ ଆଖି ଆଗରେ ରଖି ଆବଶ୍ୟକସ୍ଥଳେ ଆଉ ଅଧିକ ଅଞ୍ଚଳ ଏଥିରେ ଅନ୍ତର୍ଭୁକ୍ତ କରାଯିବ।
ଭୁବନେଶ୍ୱରର କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ନିକଟବର୍ତ୍ତୀ ଅଞ୍ଚଳରେ ଆଉ ଏକ ନୂତନ ସହର ନିର୍ମାଣ ଏବଂ ମେଟ୍ରୋ ରେଳ ଚଳାଚଳ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଛି।