କଟକ: କଟକ ମହାଜନପୁର ନିକଟ ଜଙ୍ଗଲରୁ ଜବତ୍ ହୋଇଛି ପୁଳା ପୁଳା ବାଣ । ବେଆଇନ୍ ଭାବରେ ବାଣ ତିଆରି କରି ଗ୍ରାମର ଲୋକମାନେ ବଣ ଜଙ୍ଗଲରେ ଲୁଚାଇ ରଖିଛନ୍ତି ଲକ୍ଷାଧିକ ଟଙ୍କାର ବାଣ । ଗତ ୧୯ ତାରିଖ ବିସ୍ଫୋରଣରେ ତିନି ଜଣଙ୍କ ଜୀବନ ଗଲାପରେ ପୁଲିସ ବିଭାଗ ତତ୍ପରତା ଦେଖାଇ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି । ସୋମବାର ପୁଲିସ ସହାୟତାରେ ବୋମା ନିଷ୍କ୍ରିୟକାରୀ ଦଳ ପହଂଚି ଉକ୍ତ ବାଣକୁ ନଷ୍ଟ କରିଥିବାର ସୂଚନା ମିଳିଛି । ମହାଜନପୁର ସମେତ ଆଖପାଖର ଗ୍ରାମର ବାସିନ୍ଦା ବେଆଇନ ବାଣ ତିଆରି କରିଥାନ୍ତି । ପ୍ରଶାସନକୁ ବାଣ ବ୍ୟବସାୟୀ ଖାତିର କରୁନାହାନ୍ତି ।
ନା ପ୍ରଶାସନର ଅଙ୍କୁଶ ଅଛି ନା ବାଣ ବ୍ୟବସାୟୀଙ୍କର କାହାକୁ ଡର ଅଛି? ବିଭିନ୍ନ ସମୟରେ ଅପରାଧୀ ମାନେ ଏହିଠାରୁ ହାତବୋମା ସହ ବିସ୍ଫୋରକ ସାମଗ୍ରୀ ନେଇ ଅପରାଧିକ ମାମଲା ଘଟାଉଛନ୍ତି । ତେବେ ଏହି ଗ୍ରାମରେ ଯେତେଜଣ ବାଣ ବ୍ୟବସାୟ ଓ ତିଆରି କରୁଛନ୍ତି କାହାରି ଲାଇସେନ୍ସ ନାହିଁ ବୋଲି ଅନୁମାନ କରାଯାଉଛି । ତେବେ ସବୁଠାରୁ ବଡ଼ କଥା ହେଉଛି ଏହି ଜଙ୍ଗଲରେ କେଉଁ କେଉଁ ଲୋକଙ୍କର ବାଣ ମହଜୁଦ ରହିଛି । ଅନ୍ୟପଟେ ଏହି ଗୋଟିଏ ଜାଗାରେ ବାଣ ମହଜୁଦ ଅଛି ନା ଅନ୍ୟ କେଉଁଠି ଲୁଚାଇ ରଖାଯାଇଛି । ପୁଲିସ ଏହି ଗୋଟିଏ ସ୍ଥାନରେ ଛାପା ମାରି ତଦନ୍ତକୁ ଏଇଠି ଶେଷ କରିବ ନା ଆଗକୁ ତଦନ୍ତ ଜାରି ରଖିବ ତାହା ଦେଖିବାକୁ ରହିଛି ।