ଅଫୀସର ସ୍ତରରେ ବଡ଼ ଧରଣର ଅଦଳବଦଳ!

ବର୍ଷ ବର୍ଷ ଧରି ଗାଦି ମାଡ଼ି ବସିଥିଲେ । ବିଜେଡି ଏଜେଣ୍ଟ ସାଜି କାମ କରୁଥିଲେ । ଏବେ ବିଜେପି ସରକାର ଆସିବା ପରେ ଅକଳରେ ପଡିଛନ୍ତି । ପ୍ରଶାସନିକ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ନୂଆ ସରକାର । ଆଉ ଏବେ ଅଫୀସର ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।

ଇସିଆଇଙ୍କ ଛାଟ ବାଜିଥିବା ଅତିରିକ୍ତ ଡିଜି ଡିଏସ କୁଟ୍ଟେ। ଦୀର୍ଘ ୧୪ ବର୍ଷ ଧରି ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟରେ ସ୍ୱତନ୍ତ୍ର ସଚିବ ଭାବେ କାର୍ୟ୍ୟ କରୁଥିଲେ। ହେଲେ ଗତ ନିର୍ବାଚନରେ ଧରାପଡ଼ି ନିଲମ୍ବନ ହେଲେ। ପରେ ନିଲମ୍ବନ ହଟିଥିଲେ ବି କାର୍ୟ୍ୟାନୁଷ୍ଠାନ ଜାରି ରହିବ ବୋଲି ଇସିଆଇ କହିଛନ୍ତି। ଆଉ ଜଣେ ଆଇପିଏସ୍ ହେଲେ ଅତିରିକ୍ତ ଡିଜି ଅରୁଣ ବୋଥ୍ରା। ପରୀ ହତ୍ୟାକାଣ୍ଡ ହେଉ ଅବା ପୂର୍ବତନ ମନ୍ତ୍ରୀ ନବଦାସ ଗୁଳିକାଣ୍ଡ। ଯେତେବେଳେ ବିଜେଡି ସରକାର ଅଡୁଆରେ ପଡିଥିଲା, ସେଠି କାମ ଦେଇଥିଲା ବୋଥ୍ରା ଫର୍ମୁଲା। ବୋଥ୍ରାଙ୍କୁ ଯେକୌଣସି ଅନ୍ୟ ଦାୟିତ୍ୱ ଦିଆଯାଉଥିଲେ ବି ସେ କିନ୍ତୁ କ୍ରାଇମବ୍ରାଞ୍ଚରେ ରହିଛନ୍ତି।

ସେହିଭଳି ଆଇପିଏସ ଆଶିଷ ସିଂ। ପ୍ରଥମେ ଦକ୍ଷିଣାଞ୍ଚଳ ଡିଆଇଜି, କେନ୍ଦ୍ରାଞ୍ଚଳ ଆଇଜି ଓ ପରେ ଅବକାରୀ କମିଶନର ଭାବେ ୫ ବର୍ଷରୁ ଅଧିକ ସମୟ ରହିଥିଲେ। ତା ପରେ ସିଧା ସିଏମ୍‌ଙ୍କ ସୁରକ୍ଷା ଦାୟିତ୍ୱ । ନିର୍ବାଚନରେ ସିଧା ସଂପୃକ୍ତି ନେଇ ତଥ୍ୟ ପ୍ରମାଣ ଅଭିଯୋଗ ପରେ ଇସିଆଇଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ଅନ୍ୟତ୍ର ବଦଳି କରାଯାଇଥିଲା। ହେଲେ ସ୍ୱାସ୍ଥ୍ୟଗତ ସମସ୍ୟା ବାହାନା ଦେଖାଇ ଛୁଟିରେ ରହିଥିଲେ ପରେ କିନ୍ତୁ ତାଙ୍କ ମିଛ ଧରା ପଡିବା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ।

ସେହିପରି ଅତିରିକ୍ତ ଡିଜି ସନ୍ତୋଷ ବାଲା, ବର୍ଷ ବର୍ଷ ଧରି ଗୃହ ବିଭାଗ ସ୍ୱତନ୍ତ୍ର ସଚିବ ଭାବେ କାର୍ୟ୍ୟ କରୁଛନ୍ତି । ତାସହ ଚର୍ଚ୍ଚିତ ଅଫିସର ଆଇଜି ଅନୁପ ସାହୁ। ବିଜେଡି ସରକାର ଅମଳରେ ଗୁଇନ୍ଦା ବିଭାଗରେ ରହି ସବୁ ଆଗୁଆ ସୂଚନା ଦେଉଥିଲେ। ଗଲା ୪ବର୍ଷ ଧରି ସମାନ ସ୍ଥାନରେ ଆସ୍ଥାନ ଜମାଇ ଅଛନ୍ତି ଅନୁପ।

ଆଉଜଣେ ହେଉଛନ୍ତି ରାଜ୍ୟ ଫରେନସିକ ଲ୍ୟାବ ନିର୍ଦ୍ଦେଶକ ଭାବେ ଅତିରିକ୍ତ ଡିଜି ରାଜେଶ କୁମାର ବର୍ଷ ବର୍ଷ ଧରି ବଦଳି ନହୋଇ ବସିଛନ୍ତି। ସେପଟେ ଏତେ ସବୁ ଭିତରେ ଡିଜିପି ସୁନୀଲ ବଂଶଲ ଡିଜିପି ଭାବେ ଅବସର ନେବାର ୫ମାସରୁ ଅଧିକ ସମୟ ବିତିଥିବାବେଳେ ଏଯାଏଁ ରାଜ୍ୟକୁ ମିଳିପାରିନି ଜଣେ ଫୁଲଟାଇମ୍ ଡିଜି। କାମଚଳା ଡିଜି ଭାବେ ଅରୁଣ ଷଡଙ୍ଗୀ ଦାୟିତ୍ୱ ତୁଲାଉଛନ୍ତି। ଆଉ କାମଚଳା ଡିଜିପି ସହ ସେ ବି ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ୍ ଏକାଡେମୀର ନିର୍ଦ୍ଦେଶକ ବି ରହିଛନ୍ତି। ଏବେ ରାଜ୍ୟରେ ନୂଆ ବିଜେପି ସରକାର କ୍ଷମତାକୁ ଆସିବା ପରେ ଚର୍ଚ୍ଚା, ବିଜେଡି ସରକାର ଅମଳର ଏସବୁ ଗାଦି ମଡ଼ା ଆଇପିଏସ୍ ବାବୁଙ୍କର ଭବିଷ୍ୟତ କଣ ?