ମେୟର ଗାଦିରେ ବସାଇଛ ତମକୁ ଘାଂଟିବି

ବହୁତଳ ପାର୍କିଂ ଫି’ ମୁତାବକ ସେବା ମିଳୁନି….

ଭୁବନେଶ୍ୱର: କ୍ଷମତାରେ ଥିବା ଭିତରେ ବିଏମ୍‌ସିର ଆୟକୁ ଆଖିଦୃଶିଆ ବୃଦ୍ଧି କରି ହାଇ କମାଣ୍ଡଙ୍କ ଘନିଷ୍ଠ ବୋଲାଇବା ନିଶାରେ ମେୟର ସୁଲୋଚନା ଦାସ ବହୁତଳ ପାର୍କିଂ ବ୍ୟବସ୍ଥା ଆରମ୍ଭ କଲେ ଯାବତୀୟ ଅବ୍ୟବସ୍ଥା ଭିତରେ ବହୁତଳ ପାର୍କିଂ ଚାଲିଛି । ପାର୍କିଂ ଫି’ ବାବଦକୁ ଯେତିକି ପରିମାଣର ଅର୍ଥ ଆଦାୟ ଚାଲିଛି, ସେହି ତୁଳନାରେ ସନ୍ତୋଷଜନକ ସେବା ପ୍ରଦାନ କରାଯାଉନି ।

ବିଶେଷ କରି ଅଣଓଡ଼ିଆ କର୍ମଚାରୀଙ୍କୁ ନିଯୁକ୍ତ କରାଯାଇ ବିଏମ୍‌ସି ତା’ର ଅବ୍ୟବସ୍ଥାକୁ ଘୋଡ଼ାଇବାର ପ୍ରୟାସ କରୁଛି । ଦୈବାତ୍‌ କ୍ରମେ ଯଦି କୋଉ ଗାଡ଼ିମାଲିକ କିଛି ଅଭିଯୋଗ କରନ୍ତି, ତାକୁ ସାନ୍ତ୍ୱନା ଦେବା ପାଇଁ ଗୋଟିଏ ବାକ୍ୟ ଯଥେଷ୍ଟ ‘ଆଜ୍ଞ ଅଣଓଡ଼ିଆ କର୍ମଚାରୀ, ଭୁଲଟାଏ କରି ପକାଇଛି, ଭୁଲିଯାନ୍ତୁ’ ।

ମେୟର ସୁଲୋଚନା ଦାସ ଗାଡ଼ିମାଲିକଙ୍କର ମୌଳିକ ସୁବିଧା ପ୍ରତି ଆଖି ବୁଜିଛନ୍ତି । ମେୟରଙ୍କ ବିରୋଧରେ ଜନ ଅସନ୍ତୋଷ ବୃଦ୍ଧି ପାଉଛି । ଅବଶ୍ୟ ଜନ ଅସନ୍ତୋଷ ପ୍ରତି ମେୟରଙ୍କର ପରବାୟ ନାହିଁ କାରଣ ତାଙ୍କୁ ସୁରକ୍ଷା ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଶଙ୍ଖ ଅଛି । ମାର୍କେଟ୍‌ ବିଲଡିଂ ପାର୍କିଂ ସ୍ଥାନରେ ସର୍ବାଧିକ ଗାଡ଼ି ରହୁଛି । ଏକ ସମୟରେ ୪୦୦ କାର ଓ ୭୦୦ ବାଇକ୍‌ ରଖାଯିବାର ବନ୍ଦୋବସ୍ତ କରାଯାଇଛି ।

ପାର୍କି ଫି’କୁ ନେଇ ଅସନ୍ତୋଷ ରହିବା ସ୍ୱାଭାବିକ । ମାତ୍ର ମୌଳିକ ସମସ୍ୟାର ସମାଧାନ କରିବା ଭୁଲିଯାଇଛି ବିଏମ୍‌ସି । ପାର୍କିଂ ସ୍ଥଳୀରେ ଲିଫ୍ଟ କାମ କରୁନି । ବୟସ୍କ ଓ ଶିଶୁମାନେ ଅଡୁଆରେ ପଡୁଛନ୍ତି । ଶୌଚାଳୟରେ ବିଜୁଳି ବ୍ୟବସ୍ଥା ନାହିଁ । ପାର୍କିଂ ଭିତରକୁ ଯିବା ରାସ୍ତା ଓ ବାହାରକୁ ଆସିବା ରାସ୍ତା ଗୋଟିଏ । ଡିଭାଇଡର ନାହିଁ କି କନ୍‌ଭେକ୍ସ ଆଇନା ନାହିଁ । ଯେକୌଣସି ସମୟରେ ଦୁର୍ଘଟଣାର ଆଶଙ୍କାକୁ ଏଡ଼ାଇ ହେବନି । ଅନ୍‌ଲାଇନ୍‌ ସ୍ମାର୍ଟ ପାର୍କିଂ କାମ କରୁନି । ଫଳରେ ଲୋକମାନେ ବାହାରେ ପାର୍କିଂ କରିବାକୁ ଉଚିତ ମଣୁଛନ୍ତି ।

ଅଣଓଡ଼ିଆ କର୍ମଚାରୀ କାରଣରୁ ସାଧାରଣ ଲୋକଙ୍କୁ ସଠିକ୍‌ ଜବାବ ମିଳୁନି । ବହୁତଳ ପାର୍କିଂର ପ୍ରସ୍ଥାନ ଫାଟକରେ ତାଲା ଝୁଲିବାର କାରଣ ବିଏମ୍‌ସି କମିଶନର ଓ ମେୟରଙ୍କୁ ଜଣା । ପାର୍କିଂ ସ୍ଥାନରେ ବୁମ୍‌ ବ୍ୟାରିଅର କାମ କରୁନି । ଏତେସବୁ ଅଳିଆ ଭିତରେ ବିଏମ୍‌ସି ମେୟର ଛାତି ଫୁଲାଇ ବାଟ ଚାଲୁଛନ୍ତି କ’ଣ ନା’ ରାଜଧାନୀବାସୀ ଭୋଟ ଦେଇ ଗାଦିରେ ବସାଇଛନ୍ତି ମାନେ ଭଲ କରି ତଣ୍ଡିବି ।