ଭୁବନେଶ୍ୱର( ଏସ୍ ନ୍ଯୁଜ): ପୁଣି ଲୋକାୟୁକ୍ତରେ ହାଜର ହୋଇଛନ୍ତି IAS ହେମନ୍ତ ଶର୍ମା ଓ ଔଷଧ ନିଗମ ଅଧ୍ୟକ୍ଷା ଯାମିନୀ ଷଡ଼ଙ୍ଗୀ। ପିପିଇ କିଟ୍ ଓ ମାସ୍କ କିଣା ଦୁର୍ନୀତି ମାମଲାରେ ପୁଣି ଲୋକାୟୁକ୍ତରେ ଉଭୟ ହାଜର ହୋଇଛନ୍ତି ।
ଆଜି ଲୋକାୟୁକ୍ତରେ କୋଭିଡ୍ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମାସ୍କ, ପିପିଇ କିଟ୍ ଓ ସାନିଟାଇଜର କିଣାରେ ହୋଇଥିବା ବ୍ୟାପକ ଅନିୟମିତତା ନେଇ ଦାୟର ମାମଲାର ଚୂଡ଼ାନ୍ତ ଶୁଣାଣି ହେବାର ସମ୍ଭାବନା ରହିଛି। ଏହାପୂର୍ବରୁ ଏହି ଦୁଇ ଅଧିକାରୀ ଏକାଧିକ ବାର ଲୋକାୟୁକ୍ତଙ୍କ ନିକଟରେ ହାଜର ହୋଇ ନିଜର ପକ୍ଷ ରଖିସାରିଥିବା ସୂଚନା ରହିଛି।
ଉଲ୍ଲେଖଯୋଗ୍ୟ, ମାସ୍କ କିଣାରେ ଦୁର୍ନୀତି ନେଇ ଆଇଏଏସ ହେମନ୍ତ ଶର୍ମାଙ୍କ ନାଁରେ ଗତ ଜୁନ୍ରେ ଥାନାରେ ଏତଲା ହୋଇଥିଲା। ଓଡିଶା ସୂଚନା ଅଧିକାର ଅଭିଯାନ ପକ୍ଷରୁ କ୍ୟାପିଟାଲ ଥାନାରେ ଏତଲା ଦିଆଯାଇ କାର୍ଯ୍ୟାନୁଷ୍ଠାନ ଦାବି ହୋଇଥିଲା।
ସେହିପରି ପୂର୍ବରୁ ମାସ୍କ, ପିପିଇ ଓ ସାନିଟାଇଜର କିଣାରେ ହୋଇଥିବା ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ଆଣି ରାଜ୍ୟ କଂଗ୍ରେସ ଏଥିପାଇଁ ମାମଲା ଦାୟର କରିଥିବା ବେଳେ ପରେ ଏ ନେଇ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ମଧ୍ୟ ଏକ ମାମଲା ଦାୟର ହୋଇଥିଲା। ଦେଶର ଅନ୍ୟ ରାଜ୍ୟମାନେ ୱେବସାଇଟ୍ରେ ନିଜର ସାମଗ୍ରୀ କିଣା ନେଇ ସ୍ବଚ୍ଛତା ଅବଲମ୍ବନ କରୁଥିବା ବେଳେ ରାଜ୍ୟ ସରକାରଙ୍କ କ୍ଷେତ୍ରରେ ତାହା କରାଯାଇ ନ ଥିବା ସଂସ୍ଥା ପକ୍ଷରୁ ଲୋକାୟୁକ୍ତଙ୍କୁ ଦର୍ଶାଯାଇଥିଲା।