ଆଇଏଏସ୍ ଉଷା ପାଢ଼ୀଙ୍କୁ ମିଳିଲା ଗୁରୁ ଦାୟିତ୍ୱ

ନୂଆଦିଲ୍ଲୀ: ବେସାମରିକ ବିମାନ ଚଳାଚଳ ସୁରକ୍ଷା ବ୍ୟୁରୋର ନୂତନ ମହାନିର୍ଦ୍ଦେଶକ ହେବେ ଓଡ଼ିଶା କ୍ୟାଡର ଆଇଏଏସ ଅଫିସର ଉଷା ପାଢ଼ୀ। ଏହି ସଂସ୍ଥାର ସର୍ବୋଚ୍ଚ ପଦବୀ ପାଇବାରେ ୩୩ ବର୍ଷ ମଧ୍ୟରେ ଉଷା ହେଉଛନ୍ତି ପ୍ରଥମ ମହିଳା | ଏନେଇ ସେ ଟ୍ୱିଟର ଜରିଆରେ ସୂଚନା ଦେଇଛନ୍ତି।

ଉଷାଙ୍କ ପୂର୍ବରୁ ଆଇପିଏସ ଅଫିସର ରାକେଶ ଅସ୍ଥାନା ଥିବାବେଳେ ତାଙ୍କୁ ସୀମା ସୁରକ୍ଷା ବଳର (ବିଏସ୍‌ଏଫ୍) ମହାନିର୍ଦେଶକ ଭାବେ ନିଯୁକ୍ତି ମିଳିଛି। ଆଉ ମଙ୍ଗଳବାର ସକାଳେ ଅସ୍ଥାନା ‘ଡିଜି ବିଏସ୍‌ଏଫ୍‌’ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ଉଷାଙ୍କୁ ବ୍ୟୁରୋ ଅଫ୍ ସିଭିଲ୍ ଏଭିଏସନ୍ ସିକ୍ୟୁରିଟି’ର ଡିଜି ଭାବେ ଦାୟିତ୍ୱ ମିଳିଛି |

ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଯୁଗ୍ମ ସଚିବ ଭାବେ କାମ କରିଥିବା ଉଷା ପାଢ଼ୀଙ୍କ ଅଭିଜ୍ଞତାକୁ ଦେଖି ତାଙ୍କୁ ଏହି ସଂସ୍ଥାର ଡିଜି ଦାୟିତ୍ୱ ମିଳିଥିବା ନେଇ ଚର୍ଚ୍ଚା ହେଉଛି। ୧୯୯୬ ଓଡ଼ିଶା କ୍ୟାଡର ଆଇଏଏସ ଅଫିସର ଉଷା ଓଡିଶା ସରକାରଙ୍କର ଅନେକ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ କାର୍ଯ୍ୟ କରିଛନ୍ତି। ୨୦୧୫ରେ କେନ୍ଦ୍ରୀୟ ଡେପୁଟେସନରେ ଯାଇଥିଲେ। ତାଙ୍କ ସ୍ୱାମୀ ଆଇଏଏସ ଅରବିନ୍ଦ ପାଢ଼ୀ ମଧ୍ୟ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି।