ଭୁବନେଶ୍ୱର: ସୁରେଶ ମହାପାତ୍ରଙ୍କର କେଉଁ ଦକ୍ଷତା ଓ ଯୋଗ୍ୟତାକୁ ମାପଚୁପ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତାଙ୍କର କାର୍ଯ୍ୟକାଳକୁ ଦୁଇଥର ବୃଦ୍ଧି କରିଛନ୍ତି ବୋଲି ରାଜ୍ୟବାସୀ ପ୍ରଶ୍ନ କରିଛନ୍ତି । କିଛିଦିନ ତଳେ ଅନୁଷ୍ଠିତ ସଚିବସ୍ତରୀୟ ବୈଠକରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ବ୍ୟୟହାରକୁ ଅନୁଧ୍ୟାନ କରି ରାଜ୍ୟ ପଛୁଆ ବର୍ଗ ମହାସଂଘ ଏଭଳି ମନ୍ତବ୍ୟ ପ୍ରଦାନ କରିଛି । ସଚିବସ୍ତରୀୟ ବୈଠକରେ ଅର୍ଥ ସଚିବ ସବୁ ବିଭାଗର ଖର୍ଚ୍ଚରାଶି ସଂପର୍କରେ ରିପୋର୍ଟ ଉପସ୍ଥାପନ କରିଥିଲେ ।
ପୂର୍ବବର୍ଷ ଏହି ସମୟ ସୁଦ୍ଧା କୋଭିଡ୍ ମହାମାରୀ କାରଣରୁ ଅନୁମୋଦିତ ଖର୍ଚ୍ଚରାଶିର ୨୪.୪% ଖର୍ଚ୍ଚ ହୋଇଥିବା ବେଳେ ଚଳିତ ବର୍ଷ ୧୯.୭% ସୀମିତ ରହିଛି । ସରକାରଙ୍କ ଇଞ୍ଜିନିୟରିଂ ବିଭାଗଗୁଡ଼ିକ ଅଗଷ୍ଟ ଶେଷସୁଦ୍ଧା ୩୫% ଖର୍ଚ୍ଚ କରିବା କଥା; ମାତ୍ର ତାହା ୨୫.୮୦%ରେ ସୀମିତ ରହିଛି । ସେହିଭଳି ପୂର୍ତ ବିଭାଗ ୧୬.୩୭%, ନଗର ଉନ୍ନୟନ ବିଭାଗ ୨୩.୪୫%, ଜଳସଂପଦ ବିଭାଗ ୨୫.୪୩%, ଗ୍ରାମ୍ୟ ଉନ୍ନୟନ ବିଭାଗ ୨୮.୬୩% ଖର୍ଚ୍ଚ କରିଛନ୍ତି ।
ସେକ୍ଟର ହିସାବରେ ଦେଖିଲେ, କୃଷି ଓ ଆନୁଷଙ୍ଗିକ କ୍ଷେତ୍ରକୁ ସରକାର ସର୍ବାଧିକ ପ୍ରୋତ୍ସାହନ ଦେଉଥିବା କହୁଛନ୍ତି ମାତ୍ର ବାସ୍ତବରେ ନବୀନ ସରକାର ସେ ଦିଗକୁ ସବୁଠାରୁ ଅଧିକ ଅଣଦେଖା କରୁଛନ୍ତି । କିନ୍ତୁ ସମୟ ସୁଯୋଗ ଦେଖି ଚାଷୀଙ୍କ ପକେଟକୁ କାଳିଆ ଟଙ୍କା ପଠାଇ ବାହାଦୁରି ମାରୁଛନ୍ତି । ସାମାଜିକ କ୍ଷେତ୍ରରେ ସରକାରଙ୍କ ବ୍ୟୟହାର ଉଦ୍ବେଗଜନକ । ଚଳିତ ଅଗଷ୍ଟ ଶେଷସୁଦ୍ଧା ଖର୍ଚ୍ଚହାର ୨୦% ହୋଇପାରିନି ।
ଭିତିଭୂମି ବିକାଶ ବାବଦରେ ପୂର୍ବବର୍ଷ ତୁଳନାରେ ଅଧିକ ଖର୍ଚ୍ଚ କରାଯାଇଛି । ମାତ୍ର ତାହା ହାରାହାରି ବିନିଯୋଗ ତୁଳନାରେ ଯଥେଷ୍ଟ କମ୍ । ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ଖର୍ଚ୍ଚ ହାର ସେତେ ସନ୍ତୋଷଜନକ ନୁହେଁ । ମୋଟ ଉପରେ କହିଲେ, ମୁଖ୍ୟ ଶାସନ ସଚିବ ‘ଖାଇବିନି କି ଖୁଆଇବିନି’ ନୀତିକୁ ଜାବୁଡ଼ି ଧରିଥିବା ମନେହୁଏ । ମାତ୍ର ଟିକେ ତଳେଇ ଦେଖିଲେ, ତାଙ୍କ ହୀନବୁଦ୍ଧିର ପରିସୀମା ମାପିବା ଦକ୍ଷ ବୁଦ୍ଧିଜୀବୀଙ୍କ ପକ୍ଷେ ସହଜ । ଅଣ ଇଞ୍ଜିନିୟରିଂ ବିଭାଗର ଖର୍ଚ୍ଚ ଚିନ୍ତାଜନକ ସ୍ଥିତିରେ ରହିଛି । ଅନୁସୂଚୀତ ଜାତି ଓ ଜନଜାତି ବିକାଶ ବିଭାଗ, ଶିଳ୍ପ, ଶକ୍ତି, ଏମ୍ଏସ୍ଏମ୍ଇ ଆଦି ବିଭାଗରେ ଖର୍ଚ୍ଚହାର ଅତ୍ୟନ୍ତ ଦୁଃଖଦାୟକ ।
ପୂର୍ବବର୍ଷ ତୁଳନାରେ କେନ୍ଦ୍ରୀୟ ଅନୁଦାନ ଓ ଅନ୍ୟାନ୍ୟ ସହାୟତା ହାରାହାରି ୫୦% କମ୍ ଥିଲେ ମଧ୍ୟ ଅଣଟିକସ ଆୟ ୧୧.୩୯% ବୃଦ୍ଧି ପାଇଛି । ଆୟର ସମୟ ଭିତିକ ବିନିଯୋଗ ବିକାଶକୁ ଆଗେଇ ନେଇପାରିବ । ମାତ୍ର ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଦାୟିତ୍ୱରେ ଥିବା ସଚିବମାନେ ଅନଭିଜ୍ଞ କାରଣରୁ ଟଙ୍କାର ସଦୁପଯୋଗ କରି ପାରୁନାହାନ୍ତି । ମୁଖ୍ୟ ଶାସନ ସଚିବ ମଧ୍ୟ ସେମାନଙ୍କୁ ବୁଦ୍ଧି ଯୋଗାଣ କରୁନାହାନ୍ତି । କିପରି କରିବେ? ଜଣେ ବୁଦ୍ଧିହୀନ ବ୍ୟକ୍ତି ଅନ୍ୟକୁ ବୁଦ୍ଧି ଯୋଗାଇବେ କେମିତି? ମୁଖ୍ୟ ଶାସନ ସଚିବଙ୍କ ସମେତ ସବୁ ସଚିବମାନେ ରାଜକୋଷରୁ ଦରମା ସାଙ୍ଗକୁ ଅନ୍ୟାନ୍ୟ ଭତା ସାଉଁଟିବାକୁ ତତ୍ପର । ମାତ୍ର ଜନତାଙ୍କ କଲ୍ୟାଣ ପାଇଁ ଖର୍ଚ୍ଚ କରିବାକୁ ଅଯୋଗ୍ୟ ।