‘ଦୁର୍ନୀତି କଲେ ସରକାର ଛାଡିବେନି’

ନିଯୁକ୍ତି ମେଳାରେ ଦୁର୍ନୀତି ପ୍ରସଙ୍ଗ ଉଠାଇଲେ ମୁଖ୍ୟମନ୍ତ୍ରୀ ….

ଭୁବନେଶ୍ୱର: ନିଯୁକ୍ତି ମେଳାରେ ଦୁର୍ନୀତି ପ୍ରସଙ୍ଗ ଉଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବାରଙ୍ଗ ଆଡିସନାଲ ତହସିଲଦାରଙ୍କ କଥା କହି ନବନିଯୁକ୍ତ ଅଧିକାରୀଙ୍କୁ ମନ୍ତ୍ର ଦେଲେ। କହିଲେ ରାଜ୍ୟରେ ଭିଜିଲାନ୍ସ ଜୋରସୋରରେ ମାତିଛି। ଦୁର୍ନୀତି ବିରୋଧରେ ସରକାରଙ୍କର ଶୂନ୍ୟ ସହନଶୀଳତା ରହିଛି। ରେଡ୍‌ ବେଳେ ପ୍ଲଟ ଜମି କ୍ୟାସ୍‌ ସୁନା ରୂପା ବାହାରୁଛି। ଏବେ ଖବର ପାଇଲି ଅତିରିକ୍ତ ତହସିଲଦାର ଘରେ ୭୫ ଲକ୍ଷ ଟଙ୍କା ସାଇତିକି ରଖିଛନ୍ତି। ଖଟ ଉପରୁ ଟଙ୍କା ବାହାରୁଛି, କିନ୍ତୁ ଆମେ ଏଠି ସୁଶାସନ କଥା କହୁଛୁ। ଆପଣମାନେ ନବନିଯୁକ୍ତି ପାଇଛନ୍ତି। ଆଶା କରୁଛି ଏ ପ୍ରକାର ଚିତ୍ର ଯେମିତି ଟିଭିରେ ନଆସୁ। ଏଥିପାଇଁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ କାମନା କରୁଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଜେଡି ସରକାରକୁ ସମାଲୋଚନା କରିବାକୁ ଭୁଲିନ ଥିଲେ। ପୂର୍ବ ସରକାରଙ୍କୁ ଟାର୍ଗେଟ୍‌ କରି ମୁଖ୍ୟମନ୍ତ୍ରୀ ମାଝି କହିଛନ୍ତି, ପୂର୍ବ ସରକାରରେ ‘ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଥିଲା’। ପ୍ରାଥମିକ ଶିକ୍ଷାକୁ ଆଗକୁ ନେବାକୁ ଚେଷ୍ଟା କରାଯାଇ ନଥିଲା। କେବଳ ୫ଞ ରୂପାନ୍ତରଣ କଥା ଚିନ୍ତା କରିଥିଲେ। ଆଗରୁ ସ୍ମାର୍ଟ କ୍ଲାସ୍‌ ରୁମ୍‌ ନାଁରେ ଭଙ୍ଗା କାନ୍ଥରେ କେବଳ ଚୂନ ମରା ଯାଉଥିଲା। ସ୍ମାର୍ଟ ବୋର୍ଡ ନାଁରେ ଖାଲି ବୋର୍ଡ ଲଗାଉଥିଲେ। ଚାଷ ଜମିରୁ ଘାସ ଆଣି କ୍ୟାମ୍ପସରେ ଲନ୍‌ କରିଥିଲେ। ପ୍ରାଥମିକ ନା ବିଶ୍ୱବିଦ୍ୟାଳୟ କୌଣସି ସ୍ତରରେ ସଫଳତା ମିଳିଲାନି। ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। ସେଥିପାଇଁ ଆମ ସରକାର ମାନବ ସମ୍ବଳ ତିଆରି କରିବାର ଲକ୍ଷ୍ୟ ରଖିଛି। ଓଡିଶାକୁ ଶ୍ରେଷ୍ଠ ୫ଟି ରାଜ୍ୟରେ ସାମିଲ କରିବା ଆମର ଲକ୍ଷ୍ୟ ରହିବ ଏବଂ ଏଥିରେ ଆପଣମାନଙ୍କ ବଡ଼ ଭୂମିକା ରହିବ।
ନବ ନିଯୁକ୍ତ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ସୁଶାସନର ତିନୋଟି ମନ୍ତ୍ର ଦେଇଛନ୍ତି। ସେ କହିଛନ୍ତି, ସ୍ୱଚ୍ଛତା, ଉତର ଦାୟିତ୍ୱ, ଅଭିଯୋଗ ଗୁଡିକର ତୁରନ୍ତ ସମାଧାନ କର। ଆଜିର ନିଯୁକ୍ତି ମେଳା ହେଉଛି ୧୪ତମ ନିଯୁକ୍ତି ମେଳା ଏବଂ ପଂଚମ ବୃହତମ ନିଯୁକ୍ତି ମେଳା। ୩୯୪୫୯ ନିଯୁକ୍ତି ପତ୍ର ବଂଟନ କରିସାରିଛୁ। ଆମ ସରକାର ପ୍ରତିଶୃତି ଦେଇଥିଲା ୫ ବର୍ଷରେ ଦେଢ ଲକ୍ଷ ନିଯୁକ୍ତି ଦେବ। ପ୍ରଥମ ଦୁଇ ବର୍ଷ ପାଇଁ ୬୫ ହଜାର ଲକ୍ଷ୍ୟ ରଖିଥିଲୁ। ଏବେ ସୁଦ୍ଧା ୪୦ ହଜାର ନିଯୁକ୍ତି ଦେଇସାରିଛୁ। ଦୁଇ ବର୍ଷ ଶେଷ ସୁଦ୍ଧା ଆମେ ଲକ୍ଷ୍ୟ ପୂରଣ କରିବୁ। କ୍ରୀଡା ଶିକ୍ଷକଙ୍କୁ ଅଲମ୍ପିକ ମେଡାଲ ଜିତାଇବାକୁ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଟାର୍ଗେଟ୍‌ ଦେଇଥିଲେ। ମୁଖ୍ୟମନ୍ତ୍ରୀ ମଧ୍ୟ ଏହାକୁ ଦୋହରାଇଛନ୍ତି। କ୍ରୀଡା ଶିକ୍ଷକମାନଙ୍କୁ ମଧ୍ୟ ଏ ସଂପର୍କରେ ଟାସ୍କ ଦେଇଛନ୍ତି।