୨୪ ଘଣ୍ଟାରେ ୫୯ ହଜାର ସଂକ୍ରମିତ, ୨୫୭ ମୃତ

ଭୁବନେଶ୍ୱର,(ଏସ୍ ନ୍ୟୁଜ): ମହାମାରୀ କରୋନା ଭାଇରସର ଦ୍ୱିତୀୟ ଲହର ଦିନକୁ ଦିନ ଦେଶରେ ବେକାବୁ ହେବାରେ ଲାଗିଛି। ପ୍ରତିଦିନ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। ଗତକାଲି ୫୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ଏହି ସଂଖ୍ୟା ୫୯ ହଜାର ପାର୍‌ କରି ଯାଇଛି।

ସେହିପରି ମୃତ୍ୟୁସଂଖ୍ୟା ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଦୀର୍ଘ ୧୫୦ରୁ ଅଧିକ ଦିନ ପରେ ଆକ୍ଟିଭ କେସ୍‌ ସଂଖ୍ୟା ୪ ଲକ୍ଷ ଟପିଯାଇଛି। ସଂକ୍ରମଣ ସାଙ୍ଗକୁ ଆକ୍ଟିଭ କେସ୍‌ ସଂଖ୍ୟା ବୃଦ୍ଧି ପାଉଥିବାରୁ ସରକାର ନୂଆ କଟକଣା ଲଗାଇବାକୁ ଯୋଜନା କରୁଥିବା ଜଣାପଡ଼ିଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୫୯,୧୧୮ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ପ୍ରାୟ ୩୬ ହଜାର ଲୋକ କେବଳ ମହାରାଷ୍ଟ୍ରରୁ ଚିହ୍ନଟ ହୋଇଛନ୍ତି। ଆଜିର ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୧୮,୪୬,୬୩୭ରେ ପହଞ୍ଚି ଯାଇଛି।

ସେହିପରି ୧,୧୨,୬୪,୬୩୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ଭାରତରେ ଆକ୍ଟିଭ କେସ୍‌ ସଂଖ୍ୟା ୪,୨୧,୦୬୬ ରହିଛି। ଦିନକରେ ଏହି ପ୍ରାଣଘାତୀ ଭାଇରସ ଆଉ ୨୫୭ ଜଣଙ୍କ ମୁଣ୍ଡ ନେଇଛି। ଏହାକୁ ମିଶାଇ ଦେଶରେ କରୋନା ଜନିତ ମୋଟ ମୃତ୍ୟୁସଂଖ୍ୟା ୧,୬୦,୯୪୯କୁ ବୃଦ୍ଧି ପାଇଛି। ଗୋଟିଏ ଦିନ ପୂର୍ବରୁ ଦେଶରେ ୫୩,୪୭୬ ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହା ୫ ମାସରେ ସର୍ବାଧିକ।