ଭୁବନେଶ୍ୱର: ଆଜିଠାରୁ ରାଜଧାନୀ ଭୁବନେଶ୍ୱର ଆରମ୍ଭ ହୋଇଛି ଜାତୀୟସ୍ତରୀୟ ହସ୍ତତନ୍ତ ମେଳା । ପ୍ରଦର୍ଶନୀ ପଡିଆରେ ଆୟୋଜିତ ଏହି ମେଳା ଅପ୍ରେଲ୍ ୧ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ଏହା ମେଳା ସର୍ବସାଧାରଣଙ୍କ ନିମନ୍ତେ ପୂର୍ବାହ୍ନ ୧୧ଟା ୩୦ରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହିବ । ଏହି ପ୍ରଦର୍ଶନୀରେ ଓଡ଼ିଶାର ବିଭିନ୍ନ ଅଂଚଳର ଲୋକାଦୃତ ବୟନବସ୍ତ୍ର ଯଥା: ସମ୍ବଲପୁରୀ, ସୋନପୁରୀ, ବମକଇ, ଖଣ୍ଡୁଆପାଟ, ମାଣିଆବନ୍ଧି, ହାବସପୁରୀ ଆଦି ଉପଲବ୍ଧ ହେବ ।
ଦର୍ଶକଙ୍କ ପ୍ରମୂଖ ଆକର୍ଷଣ ପାଲଟିବ କରୁଣା ରେସମ ବସ୍ତ୍ର । ଏହି ପ୍ରଦର୍ଶନୀରେ ଓଡ଼ିଶାର ବାନ୍ଧବସ୍ତ୍ର ସହ ପଶ୍ଚିମବଙ୍ଗର ଜାମଦାନି ଓ ଟାଙ୍ଗାଇଲ୍, ଜାମ୍ମୁ କାଶ୍ମୀରର ପଶ୍ମିନା-ସାଲ୍, ତାମିଲନାଡ଼ୁର କାଞ୍ଜିବରମ୍ ପାଟ, ଦିଲ୍ଲୀ, ହରିୟାନାର ଫର୍ନିସିଙ୍ଗ୍ବସ୍ତ୍ର, କର୍ଣ୍ଣାଟକର ସିଲ୍କ ଶାଢ଼ୀ ଆଦି ହସ୍ତତନ୍ତ ବସ୍ତ୍ର ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବ । ରାଜ୍ୟ ସମବାୟ, ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦିପ ବଳ ସାମନ୍ତ ମୁଖ୍ଯ ଅତିଥି ଭାବରେ ଯୋଗଦାନ କରି ଏହି ମେଳାର ଶୁଭ ଉଦ୍ଘାଟନ କରିଛନ୍ତି ।