ଭଉଁରୀ ଯାତ୍ରାରେ ଅଘଟଣ : ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ଭଉଁରି ଖେଳ ବେଳେ ବାଣ ବିସ୍ଫୋରଣ ଘଟି ୩ ଜଣଙ୍କ ମୃତ୍ୟୁ ଘଟିଛି । ଆହତମାନଙ୍କ ଉତ୍ତମ ଚିକିତ୍ସା ସୁନିଶ୍ଚିତ କରିବା ସହ ବ୍ୟବସ୍ଥାର ତଦାରଖ ପାଇଁ ମୁଖ୍ୟ ଶାସନ ସଚିବ ଓ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏଥି ସହିତ ସମସ୍ତ ଆହତଙ୍କ ଚିକିତ୍ସା ଖର୍ଚ୍ଚ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ବହନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ଏହି ସମୟରେ ଦେବୀଘାଟ ନିକଟ ଦସତୁଠ ନିକଟରେ ବାଣ ବିସ୍ଫୋରଣ ହୋଇଥିଲା । ଏଥିଯୋଗୁ ନିଆଁ ହୁଳା ଉପସ୍ଥିତ ଲୋକଙ୍କ ଉପରେ ପଡ଼ିବାରୁ ସେମାନେ ପ୍ରାଣ ବିକଳରେ ଏଣେତେଣେ ଦୌଡ଼ିବାକୁ ଲାଗିଲେ । ଅନେକ ଲୋକ ଜୀବନ ବଞ୍ଚାଇବା ପାଇଁ ପାଣିକୁ ମଧ୍ୟ ଡେଇଁ ପଡିଥିଲେ । ବାଣ ପଡ଼ି  ସେଠାରେ ଉପସ୍ଥିତ ପ୍ରାୟ ୩୦ ଜଣ ଆତହତ ହୋଇଛନ୍ତି ।

ସେମାନଙ୍କୁ ପ୍ରଥମେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ବର୍ଣ୍ଣ ୟୁନିଟ୍ ନଥିବାରୁ ଗୁରୁତରଙ୍କୁ କଟକ ବଡ଼ ମେଡିକାଲ ଏବଂ ଭୁବନେଶ୍ୱର ଓ କଟକର ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ବାଣ ଫୁଟି ପୋଡ଼ି ଯାଇଥିବା ବ୍ୟକ୍ତିଙ୍କ ମଧ୍ୟରେ କିଛି ଛୋଟ ପିଲା ମଧ୍ୟ ଅଛନ୍ତି । କଟକରେ ଜଣେ ୧୫ ବର୍ଷୀୟ ନାବାଳକ ଓ ଭୁବନେଶ୍ୱରର ଦୁଇଟି ଘରୋଇ ହସ୍ପିଟାଲରେ ଦୁଇ ଜଣ ଆଖି ବୁଜିଛନ୍ତି ।